ହାଇଦ୍ରାବାଦ: ବାପା... ଏହା କେବଳ ଏକ ଶବ୍ଦ ନୁହଁ ବରଂ ସାହାସ, ବଳ, ସୁରକ୍ଷା କବଚ, ଦୃଢ ବିଶ୍ବାସର ପ୍ରତୀକ ଓ ପ୍ରେରଣା । ପିଲା ପାଇଁ ସେ ଶଖା, ଶିକ୍ଷକ, ହିରୋ, ରୋଲ ମଡେଲ ଓ ସାକ୍ଷାତ ଈଶ୍ବର । ସେ ପାଖରେ ଥିଲେ ଲାଗେ ନାହିଁ ଡର... ଏ ଶବ୍ଦ ଉଚ୍ଚାରଣ କଲେ ଶରୀରରେ ଆସେ ସାତ ସିଂହର ବଳ । ତାଙ୍କ ରାଗ ପିଲାଙ୍କୁ କରିଥାଏ ସୁଦୃଢ...ତାଙ୍କ ଗାଳି ଲୁହ ନୁହଁ ଦେଇଥାଏ ଲୁହାର ବଳ । ତାଙ୍କୁ କଷ୍ଟ ହୁଏ ସେ କିନ୍ତୁ କାନ୍ଦନ୍ତିନି... ତାଙ୍କୁ ରାଗ ଲାଗିଲେ ସେ ଗାଳି କରନ୍ତି କିନ୍ତୁ ମନେ ମନେ ଅନୁତାପ କରନ୍ତି ।
ବାପା ସିଏ ଯିଏ ସ୍ନେହ ବଦଳରେ ଗାଳି କରି ଦିଅନ୍ତି ପ୍ରେରଣା । ବାପା ସିଏ ଯିଏ କୋଳରେ ବସେଇ ଗେଲ କରନ୍ତିନି କିନ୍ତୁ ଦୁନିଆ ଆଗରେ ପ୍ରଶଂସାରେ ପୋତି ପକାନ୍ତି ପିଲାଙ୍କୁ । ପିଲାଙ୍କ ସ୍ବପ୍ନ ପୂରଣ ପାଇଁ ସେ ସବୁ ଝାଳ ବୁହାଇ ଦିଅନ୍ତି । ପିଲା ପାଇଁ ନୂଆ ଆଣି ଅଳି ଅର୍ଦ୍ଦଳି ପୂରଣ କରନ୍ତି । ପିଲାର ଟିକିଏ ଖୁସି ପାଇଁ ସେ ଅଜସ୍ର ଦୁଃଖକୁ ବି ଚାପି ରଖନ୍ତି । ବ୍ରହ୍ମାଣ୍ଡରେ ଖୋଜିଲେ ବି ତାଙ୍କ ପରି ମଣିଷ ମିଳିବେ ନାହିଁ । ମାଆ ସିନା ଜନ୍ମ ଦିଏ, କିନ୍ତୁ ବାପା ଦିଅନ୍ତି ପରିଚୟ । ଯାହା ସମାଜରେ ସନ୍ତନକୁ ମୁଣ୍ଡଟେକି ବାଟ ଚାଲିବାର ସାହସ ଦେଇଥାଏ । ମହାନ ଭାରତୀୟ ସଂସ୍କୃତିରେ ବାପାଙ୍କୁ ଦେବତା ସହ ତୁଳନା କରାଯାଇଥାଏ । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତା' ପାଇଁ ଅନ୍ଧାର । ବାପା ଥିଲେ ପାଖରେ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଆସେନା ।
ଏହା ମଧ୍ୟ ପଢନ୍ତୁ-Father's Day Special: ଆଦର୍ଶ ପିତା ସୁତି, ୨୫ବର୍ଷର ଦିବ୍ୟାଙ୍ଗ ପୁଅ ପାଇଁ ପାଲଟିଛନ୍ତି ବାପାମାଆ
ଶାସ୍ତ୍ର କୁହେ 'ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ' । ଅର୍ଥାତ, ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି । ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ । ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ସାରା ବିଶ୍ବରେ 'ଫାଦର୍ସ ଡେ' ବା ପିତୃଦିବସ ପାଳନ କରାଯାଏ ।
ପିତୃ ଦିବସ ଇତିହାସ: 1910, ଜୁନ 19 ତାରିଖରେ ସର୍ବପ୍ରଥମେ ୱାଶିଂଟନରେ Father's Day ପାଳନ କରାଯାଇଥିଲା । ପରେ 1924 ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ମଞ୍ଜୁରି ଦିଆଯାଇଥିଲା । ଐତିହାସିକଙ୍କ କହିବାନୁସାରେ, ସୋନୋରା ସ୍ମାର୍ଟ ଡୋଡ୍ ଦ୍ୱାରା ଏହି ଦିନ ଆରମ୍ଭ ହୋଇଥିଲା । ସୋନେରା ଯେତେବେଳେ ଛୋଟ ଥିଲେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ପିତାକ୍ୟାପଟେନ ୱିଲିୟମ୍ ଜ୍ୟାକସନ ସ୍ମାର୍ଟ ତାଙ୍କୁ ଉଭୟ ମାଆ ଏବଂ ପିତାଙ୍କ ସ୍ନେହ ଦେଇଥିଲେ । ଏହାପରେ ଝିଅ ସୋନୋରା ତାଙ୍କ ପିତାଙ୍କ ବଳିଦାନ ଏବଂ ସଂଗ୍ରାମକୁ 5 ଜୁନ 1909ରେ ପିତା ଦିବସ ଭାବରେ ପାଳନ କରିଥିଲେ । ବାସ୍ତବରେ, ଜ୍ୟାକସନ ସ୍ମାର୍ଟଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ତାଙ୍କର 6ଟି ସନ୍ତାନର ଯତ୍ନ ନେଇଥିଲେ । ତା’ପରେ ସାନୋରା ଅନୁଭବ କଲେ ଯେ ପିତାମାନେ ବହୁତ ବଳିଦାନ ଦିଅନ୍ତି, ତେବେ ମାତୃ ଦିବସ ପରି ପିତାଙ୍କୁ ସମ୍ମାନ ଦେଇ ପିତାଙ୍କ ଦିବସ କାହିଁକି ପାଳନ କରିବେ ନାହିଁ ? ୱିଲିୟମ୍ ଜ୍ୟାକ୍ସନ୍ ସ୍ମାର୍ଟଙ୍କ ଜନ୍ମଦିନ ଜୁନ 20ରେ ହୋଇଥିଲା ।
ପରେ ସୋନୋରା ସ୍ପୋକେନ୍ ଜୁନ 5ରେ ପିତାଙ୍କ ଦିବସ ମାନ୍ୟତା ଦେବାକୁ ମନ୍ତ୍ରୀସ୍ତରୀୟ ମିଳିତ ମଞ୍ଚକୁ ଅନୁରୋଧ କରିଥିଲେ । 1924 ମସିହାରେ ପିତାଙ୍କ ଦିବସକୁ ଆନୁଷ୍ଠାନିକ ଭାବେ ମଞ୍ଜୁରି ଦିଆଯାଇଥିଲା । ସେତେବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ନୋଟିସ କରିଥିଲେ । ଏହା ପରେ, 1966 ମସିହାରେ ପିତାଙ୍କ ଦିବସର ସରକାରୀ ଛୁଟି ମଧ୍ୟ ପ୍ରତିବର୍ଷ ଜୁନ ତୃତୀୟ ରବିବାରରେ ଘୋଷଣା କରାଯାଇଥିଲା ।