ଚଣ୍ଡିଗଡ଼: ଆଜି ବସିବ କୃଷକ ସଂଗଠନ ସହ ସରକାରଙ୍କ ଚତୁର୍ଥ ପର୍ଯ୍ୟାୟ ବୈଠକ । ତୃତୀୟ ବୈଠକରେ ଯଦିଓ ସକରାତ୍ମକ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ସ ବାହାରି ନଥିଲା । ଏମଏସପି ସମେତ ବିଭିନ୍ନ ଦାବି ନେଇ ଜାରି ରହିଛି ଚାଷୀ ଆନ୍ଦୋଳନ । ଶମ୍ଭୁ ବର୍ଡରରେ ବିଭିନ୍ନ ଦାବିରେ ଅଡ଼ି ବସିଛନ୍ତି କୃଷକ ସଂଗଠନ । ଭାରତ ବନ୍ଦରୁ ଆରମ୍ଭ କରି ବିଭିନ୍ନ ଢଙ୍ଗରେ ସେମାନେ ପ୍ରତିବାଦ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ପୋଲିସକୁ ଲୁହବୁହା ଗ୍ୟାସ ମଧ୍ୟ ପ୍ରଯୋଗ କରିବାକୁ ପଡ଼ିଛି ।
ସ୍ଥିତିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ହରିୟାଣାରେ ଇଣ୍ଟରନେଟା ସେବାରେ ଲାଗିଥିବା କଟକଣାକୁ ଆହୁରି 2 ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆସନ୍ତା 19 ତାରିଖ ରାତି 12ଟା ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ଇଣ୍ଟରନେଟ୍ ବ୍ୟବହାର କରିହେବ ନାହିଁ । ଏହି ଜିଲ୍ଲାଗୁଡ଼ିକ ହେଲା ଅମ୍ବାଲା, କରୁକ୍ଷେତ୍ର, କୈଥଲ, ଜିନ୍ଦ, ହିସାର, ଫତେହାବାଦ ଏବଂ ସିରସା ।
ପ୍ରଥମ ଥର ଫେବୃଆରୀ 8 ତାରିଖରେ ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ 12 ତାରିଖରେ ଦ୍ବିତୀୟ ଥର କରାଯାଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଗତ 13 ତାରିଖରେ ତୃତୀୟ ପର୍ଯ୍ୟାୟ ଆଲୋଚନାରେ ବି କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ମଧ୍ୟ ଉପସ୍ଥିତ ଥିଲେ । ହେଲେ ସରକାର ଆଲୋଚନା ପାଇଁ କିଛି ସମୟ ମାଗିଥିଲେ । ଆଜି ପୁଣିଥରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ବୈଠକ ହେବା ନେଇ ଧାର୍ଯ୍ୟ କରାଯାଇଛି । ଚଣ୍ଡିଗଡ଼ରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରାଯିବ । ଏମସପି ପ୍ରସଙ୍ଗରେ କମିଟି ଗଢିବାକୁ ସରକାର ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।
ଏହା ମଧ୍ୟ ପଢନ୍ତୁ...ପଞ୍ଚମ ଦିନରେ କୃଷକ ଆନ୍ଦୋଳନ: ପଞ୍ଜାବ ସୀମାରେ ଉତ୍ତେଜନା, ଆଜି ହରିୟାଣାରେ ଟ୍ରାକ୍ଟର ରାଲି
ଏହା ମଧ୍ୟ ପଢନ୍ତୁ...ବାହାରି ପାରିଲାନି ନିଷ୍କର୍ସ, ପୁଣି 18ରେ କେନ୍ଦ୍ର ସହ ଆଲୋଚନା
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟିଠୁ ଆରମ୍ଭ କରି 12 ଦଫା ଦାବି ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ହଜାର ହଜାର କୃଷକ ଏବଂ ବିଭିନ୍ନ ସଂଗଠନ । କେନ୍ଦ୍ର ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ଏହି ଆନ୍ଦୋଳନ କରାଯାଇଛି । ଦିଲ୍ଲୀ ଚଲୋ ନାରାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି ।