ମୁମ୍ବାଇ: ପୁଣେ ବିମାନ ବନ୍ଦରରେ ଅଘଟଣ । ରନୱେରେ ଲଗେଜ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ । ଦୁର୍ଘଟଣା ସମୟରେ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ । ଉକ୍ତ ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ସମୟରେ ରନୱରେ ଲଗେଜ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଏହି ବଡ଼ ଅଘଟଣରୁ ସମସ୍ତ ଯତ୍ରୀ ଏବଂ କ୍ରୁ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାରେ ବିମାନର ନୋଜ ଏବଂ ଲ୍ୟାଣ୍ଡିଂ ଗିଅର ପାଖରେ ଥିବା ଗୋଟିଏ ଟାୟାର କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ସମସ୍ତ ବିମାନ ଯାତ୍ରୀ ସୁରକ୍ଷିତ ଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଯାହା ସୂଚନା ମିଳିଛି, ଘଟଣାଟି ଗତକାଲି (ଗୁରୁବାର) ଅପରାହ୍ନ ସମୟର । ପୁଣେ ବିମାନ ବନ୍ଦରରେ ଏୟାର ଇଣ୍ଡିଆର AI-858 ବିମାନ ଅପରାହ୍ନ ୪ଟାରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାକୁ ତୟାର ହେଉଥିଲା । ବିମାନ ରନୱରେ ଆଡକୁ ଯାଉଥିବା ବେଳେ ହଠାତ୍ ଗୋଟିଏ ଲଗେଜ ଟ୍ରାକ୍ଟର ସହ ପିଟି ହୋଇଯାଇଥିଲା । ଏହି ସମୟରେ ବିମାନରେ ପାଖାପାଖି ୧୮୦ ଯାତ୍ରୀ ରହିଥିଲେ । ତେବେ ଏକ ବଡ ଅଘଟଣ ଟଳି ଯାଇଥିଲା । ଟ୍ରାକ୍ଟର ସହ ଧକ୍କା ହେବା ଫଳରେ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାବେଳେ କୌଣସି ଯାତ୍ରୀ କିମ୍ବା କ୍ରୁ ଆହତ ହୋଇନାହାନ୍ତି ।
ଏହି ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାରକୁ ନିଆଯାଇଥିଲା । ପରେ ଆଉ ଏକ ବିମାନରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବାର ବ୍ୟବସ୍ଥା କରାଯାଇଥିଲା । ଏବେ ବେସାମରିକ ବିମାନ ଚଳଚଳ ନିର୍ଦ୍ଦେଶାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।
ଏହା ମଧ୍ୟ ପଢନ୍ତୁ: ବିମାନରେ ବୋମା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ, ଟିସ୍ୟୁ ପେପରରେ ଲେଖାଥିଲା - Air India Flight
କିଛି ଦିନ ତଳେ ଏହିଭଳି ଆଉ ଏକ ଖବର ଆସିଥିଲା । ଆକାଶରେ ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଥିଲେ ଦୁଇ ଇଣ୍ଡିଗୋ ବିମାନ । ଏହି ଦୁଇ ବିମାନ ଦିଲ୍ଲୀ ଏୟାରପୋର୍ଟରୁ ଟେକ୍ ଅପ୍ କରିବାର ଅଳ୍ପ ସମୟ ମଧ୍ୟରେ ଗୋଟିଏ ବିମାନ ଯେଉଁ ଦିଗରେ ଯିବା କଥା ସେ ଦିଗରେ ନଯାଇ ଅନ୍ୟ ବିମାନ ଆଡକୁ ଚାଲିଯାଇଥିଲା । ଟ୍ରାଫିକ ଆଲର୍ଟ ଆଣ୍ଡ କୋଲିଜିନ ଆଡଭାନ୍ସ ସିଷ୍ଟମ ଏ ସମ୍ପର୍କରେ ଜଣାଇବା ମାତ୍ରେ ଉଭୟ ବିମାନ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏହାରି ସହିତ ଏକ ବଡ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା ।