ରାୟପୁର: ମାତ୍ର କିଛି ଦିନର ବ୍ୟବଧାନ ମଧ୍ୟରେ ଛତିଶଗଡରେ ପୁଣି ଏକ ବଡଧରଣର ନକ୍ସଲ ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଏଥିରେ 8ଜଣ ହାର୍ଡକୋର ନକ୍ସଲ ନିପାତ ହୋଇଥିବା ବେଳେ ଅପରେସନରେ ନିୟୋଜିତ ଜଣେ ଯବାନ ଶହୀଦ ହୋଇଥିବା ଖବର ସାମ୍ନାକୁ ଆସିଛି । ବସ୍ତର ରେଞ୍ଜ ନାରାୟଣପୁର ଜିଲ୍ଲାର ଆବୁଝାମାଡ ଜଙ୍ଗଲରେ ଗତକାଲି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ଏହି ଅପରେସନ ଏବେ ମଧ୍ୟ ଜାରି ରହିଛି ।
ପୋଲିସ ସୂଚନା ଅନୁସାରେ, ଆବୁଝାମାଡ ଜଙ୍ଗଲରେ ମାଓକ୍ୟାମ୍ପ ଥିବା ନେଇ ଇନପୁଟ ସୂଚନା ମିଳିବା ପରେ ଗତକାଲି ଅପରାହ୍ନରେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସର ଟିମ୍ ମିଳିତ କମ୍ବିଂ ଅପରେସନରେ ବାହାରିଥିଲେ । ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଉଭୟ ପକ୍ଷରୁ ପ୍ରବଳ ଗୁଳି ବନିମୟ ହୋଇଥିଲା । ରାତି ତମାମ ଏହି ଏନକାଉଣ୍ଟର ଜାରି ରହିଥିବା ବେଳେ ଏବେ ସୁଦ୍ଧା ପ୍ରାୟ 8ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଶହୀଦ ହୋଇଛନ୍ତି । ପୋଲିସ ପକ୍ଷରୁ ଯବାନଙ୍କ ଶହୀଦ ହେବା ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନି । ଏବେ ମଧ୍ୟ ଅପରେସନ ଜାରି ରହିଛି । ମୃତାହତଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।
ବସ୍ତର ରେଞ୍ଜ ଆଇ.ଜି ପି.ସୁନ୍ଦରରାଜଙ୍କ ସୂଚନା ଅନୁସାରେ, ଏହି ଅପରେସନରେ 4 ନକ୍ସଲପ୍ରବଣ ଜିଲ୍ଲାରେ ନିୟୋଜିତ ଥିବା ଫୋର୍ସର ମିଳିତ ଟାକ୍ସଫୋର୍ସ ନୟୋଜିତ ହୋଇଛି । ନାରାୟଣପୁର, କୋଣ୍ଡାଗାଓଁ, ଦନ୍ତେଓ୍ବାଡା ଓ କାଙ୍କେର ଜିଲ୍ଲାରେ ନକ୍ସଲ ଦମନ ପାଇଁ ନିୟୋଜିତ ଥିବା ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଯବାନଙ୍କ ସହ କେନ୍ଦ୍ରୀୟ ଫୋର୍ସ ‘ଆଇଟିବିପି’ର 53 ବାଟାଲିୟନ ଏହି ଅପରେସନରେ ସାମିଲ ହୋଇଛି । ପୁରା ଆବୁଝାମାଡ ଜଙ୍ଗଲ ଓ ଏହାର ନିକଟବର୍ତ୍ତୀ ଏରିଆକୁ କର୍ଡନ କରାଯାଇଛି । ଅପରେସନ ଶେଷ ହେବା ପରେ ସ୍ଥାନୀୟ ପୋଲିସ ପ୍ରେସମିଟ ମାଧ୍ୟମରେ ବିସ୍ତୃତ ସୂଚନା ରଖିବ ।
ଦେଶରେ ପୂର୍ବାପେକ୍ଷା ନକ୍ସଲ ଗତିବିଧି ହ୍ରାସ ପାଇଥିଲେ ସୁଦ୍ଧା ଛତିଶଗଡର ବସ୍ତର, ନାରାୟଣପୁର, କୋଣ୍ଡାଗାଓଁ, ଦନ୍ତେଓ୍ବାଡା, କାଙ୍କେର ଓ ବିଜାପୁର ପରି ଜଙ୍ଗଲ କ୍ଷେତ୍ରରେ ଏବେ ମଧ୍ୟ ଲାଲବାହିନୀର ବେଶ ପ୍ରଭାବ ରହିଛି । ଅନ୍ୟ ରାଜ୍ୟ ତୂଳନାରେ ମାଓଦମନ ପାଇଁ ଏବେ ଛତିଶଗଡରେ ସର୍ବାଧିକ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ନିୟମିତ ସର୍ଚ୍ଚ ଅପରେସନ କରାଯାଇଛି । ନିର୍ବାଚନ ପୂର୍ବରୁ ଏକାଧିକ ଅପରେସନରେ ସୁରକ୍ଷାବଳକୁ କ୍ରମାଗତ ସଫଳତା ମଧ୍ୟ ମିଳିଛି । ଗତ ଦୁଇ ମାସ ମଧ୍ୟରେ ପ୍ରାୟ 60ରୁ ଅଧିକ ହାର୍ଡକୋର ନକ୍ସଲ ଏନକାଉଣ୍ଟରରେ ନିପାତ ହୋଇସାରିଲେଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ