ବେଙ୍ଗାଲୁରୁ: ଧର୍ମ ନାଁରେ ଭୋଟ ମାଗିବା ପଡିଲା ମହଙ୍ଗା । ବିଜେପି ସାଂସଂଦ ତଥା ବେଙ୍ଗାଲୁରୁ (ଦକ୍ଷିଣ) ପ୍ରାର୍ଥୀ ତେଜସ୍ବୀ ସୂର୍ଯ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେଜସ୍ବୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଧର୍ମ ନାଁରେ ଭୋଟ ଭିକ୍ଷା କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଆଜି (ଶୁକ୍ରବାର) ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
କର୍ଣ୍ଣାଟକ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ୍ସ ସାଇଟରେ ଏକ ପୋଷ୍ଟ କରି କୁହାଯାଇଛି ଯେ ବେଙ୍ଗାଲୁରୁ ଦକ୍ଷିଣ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ତଥା ସାଂସଦ ତେଜସ୍ବୀ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏପ୍ରିଲ 25 ତାରିଖରେ ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଧର୍ମ ନାଁରେ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ କର୍ଣ୍ଣାଟକର କିଛି ବିଜେପି ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ ମାମଲା ରୁଜୁ କରିସାରିଛନ୍ତି ।
ଏହା ବି ପଢନ୍ତୁ- ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ରାହୁଲଙ୍କ ସମେତ ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
ସୂଚନା ଥାଉ କି ଆଜି କର୍ଣ୍ଣାଟକର 14ଟି ଆସନରେ ଭୋଟ ପଡ଼ିଛି । ଆଜି ତେଜସ୍ବୀ ଭୋଟ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "କଂଗ୍ରେସ ରାଜ୍ୟରେ 30ରୁ ଅଧିକ ଲୋକସଭା ଆସନ ଜିତିପାରିବ ନାହିଁ । ଏଥିଲାଗି କଂଗ୍ରେସ ମର୍ମାହତ ଅଛି । କଂଗ୍ରେସର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯେତେ ବି ଭିତ୍ତିହୀନ ଅଭିଯୋଗ ଆଣିଲେ ସୁଦ୍ଧା, ଇତିହାସ ସାକ୍ଷୀ ଅଛି ଯେ ପ୍ରଧାନମନ୍ତ୍ରୀ ସେତେ ଶକ୍ତିଶାଳୀ ହେବା ସହ ବିଜେପି ମଧ୍ୟ ଲୋକପ୍ରିୟତା ଅର୍ଜନ କରୁଛି ।" ତେଜସ୍ବୀଙ୍କ ବିରୋଧରେ କଂଗ୍ରେସ ସୌମ୍ୟା ରେଡ୍ଡିଙ୍କୁ ପ୍ରାର୍ଥୀ କରିଛି ।
ତେଜସ୍ବୀ ସୂର୍ଯ୍ୟ ଆହୁରି କହିଛନ୍ତି ଯେ ଚଳିତ ନିର୍ବାଚନରେ ଅନେକ ବରିଷ୍ଠ ମତଦାତା ଭୋଟ୍ ଦେଇଥିବା ବେଳେ ଯୁବବର୍ଗଙ୍କୁ ନେତା ଭାବେ ବାଛିବା ଲାଗି ମଧ୍ୟ ଅପିଲ୍ କରିଛନ୍ତି । ଏହାସହିତ ରାଜ୍ୟବାସୀଙ୍କୁ ଭୋଟ ଦେବା ପାଇଁ ଅପିଲ୍ କରି ତେଜସ୍ବୀ କହିଛନ୍ତି, "ଆଜି କର୍ଣ୍ଣାଟକରେ ଉତ୍ସବ ପାଳନ ହେଉଛି । ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ଏହା କେବଳ ଆମର ଅଧିକାର ନୁହେଁ, ବରଂ କର୍ତ୍ତବ୍ୟ । କାରଣ ଆମେ ଭୋଟ ନ ଦେଇ ନିଜ ସ୍ବରକୁ ଚାପି ରଖିଥାଉ । ଏଣୁ ବୁଝି ବିଚାରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ