ହାଇଦ୍ରାବାଦ: 1942 ଅଗଷ୍ଟ 9, ଭାରତର ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏକ ସ୍ମରଣୀୟ ଦିନ । ଏହିଠାରୁ ଆରମ୍ଭ ହୋଇଥିଲା ବ୍ରିଟିଶ ଶାସନର ପତନ । ମହାତ୍ମା ଗାନ୍ଧୀଜୀଙ୍କ 'କର ବା ମର' ଡାକରାରେ ଦୋହଲି ଯାଇଥିଲା ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ । ବିଦେଶୀ ଶାସନ ବିରୋଧରେ ଏକଜୁଟ ହୋଇଥିଲେ ଲକ୍ଷ ଲକ୍ଷ ଭାରତୀୟ, ପୂର୍ଣ୍ଣ ସ୍ବରାଜ ଦାବିରେ ପ୍ରାଣବଳି ଦେଇଥିଲେ ଶତାଧିକ ସଂଗ୍ରାମୀ । ହଜାର ହଜାର ଭାରତୀୟ ସଂଖ୍ୟାରେ ଭରି ଯାଇଥିଲା ଜେଲ୍ । ସତ୍ୟ, ଅହିଂସା ଉପରେ ଆଧାରିତ ଏହି ଆନ୍ଦୋଳନ ନାଁ 'ଅଗଷ୍ଟ କ୍ରାନ୍ତି' ବା 'ଭାରତ ଛାଡ ଆନ୍ଦୋଳନ' ରଖିଥିଲେ ମହାତ୍ମା ଗାନ୍ଧୀ । ଆଜି ସେହି ଭାରତ ଛାଡ ଆନ୍ଦୋଳନକୁ ପୁରିଛି ୮୨ ବର୍ଷ ।
ଅଗଷ୍ଟ 9ର ମହତ୍ତ୍ବ:
ମହାତ୍ମାଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନର ମୂଳଦୂଆ ପକାଇଥିଲେ । 1942 ଅଗଷ୍ଟ 8ରେ ବମ୍ବେ ଅଧିବେଶନରେ ଗାନ୍ଧୀଜୀଙ୍କ ନେତୃତ୍ବରେ କଂଗ୍ରେସ ଏକ ପ୍ରସ୍ତାବ ପାରିତ କରିଥିଲା ବ୍ରିଟିଶଙ୍କୁ ଭାରତରୁ ବିତାଡିତ କରିବା ପାଇଁ । ଏହାର ପରଦିନ 9 ଅଗଷ୍ଟରେ ସାରା ଦେଶବାସୀ ଏହି ଆନ୍ଦୋଳନରେ ସାମିଲ ହୋଇ ବ୍ରିଟିଶ ବିରୋଧରେ ଜୋରଦାର ଲଢେଇ ଆରମ୍ଭ କରିଥିଲେ । ଏହି ଦିନ ମାହାତ୍ମଗାନ୍ଧୀ ତାଙ୍କର ବହୁଚର୍ଚ୍ଚିତ 'କର ବା ମର' ନାରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା । ବାପୁଙ୍କ ସହିତ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀ ଗିରଫ ହୋଇଥିଲେ ।
ତଥାପି ଭାରତ ଛାଡ଼ ଆନ୍ଦୋଳନ କଂଗ୍ରେସର ନେତୃତ୍ବ ବିନା ଜାରି ରହିଥିଲା । ଛାତ୍ର, ଶ୍ରମିକ ଓ କୃଷକଙ୍କ ସମେତ ଦେଶର ସବୁବର୍ଗର ଲୋକମାନେ ଏହି ଆନ୍ଦୋଳର ସମର୍ଥନ କରିବାକୁ ଆଗେଇ ଆସିଥିଲେ, ଯାହା ଭାରତୀୟଙ୍କ ମଧ୍ୟରେ ଗଭୀର ଜାତୀୟତା ଭାବର ପ୍ରଦର୍ଶନ କରିଥିଲା । ଏଥିରେ ଡରି ଯାଇଥିଲେ ବ୍ରିଟିଶ । ପରିଣାମସୂରୁପ, ବ୍ରିଟିଶ ଅଧିକାରୀମାନେ ଭାରତର ସ୍ବତନ୍ତ୍ରତା ଦାବିକୁ ଅଧିକ ଗମ୍ଭୀରତାର ସହ ବିଚାରକୁ ନେଇଥିଲେ ।
ଅଗଷ୍ଟ କ୍ରାନ୍ତିର ପ୍ରଭାବ:
ଭାରତ ଛାଡ ଆନ୍ଦୋଳନରେ ବହୁ ବଡ଼ ବଡ଼ କଂଗ୍ରେସ ନେତାଙ୍କ ଗିରଫଦାରୀ ପରେ ରାମ ମନୋହର ଲୋହିଆ, ଜେପି ନାରାୟଣ, ଅରୁଣ ଅସଫ ଅଲ୍ଲୀ ଏବଂ ଉଷା ମେହେଟ୍ଟାଙ୍କ ଭଳି ଅନେକ ନୂଆ ନେତାଙ୍କ ସୃଷ୍ଟି ହୋଇଥିଲା ।
ଭାରତ ଛାଡ଼ ଆନ୍ଦୋଳନ ରୋକିବାକୁ ବ୍ରିଟିଶ ଅଧିକାରୀ ହିଂସାର ଆଶ୍ରୟ ନେଇଥିଲେ । ମହିଳା, କିଶୋରଙ୍କ ସମେତ ପ୍ରାୟ ୧୦ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା।
ବ୍ରିଟିଶ ସରକାର ଜାତୀୟ କଂଗ୍ରେସ (INC)କୁ ବେଆଇନ ଓ ବ୍ୟାନ ଘୋଷଣା କରିଥିଲେ । ସାରା ଦେଶରେ ଏହାର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା ।
1944ରେ ଅସୁସ୍ଥତା କାରଣରୁ ମହାତ୍ମାଗାନ୍ଧୀ ଗୃହବନ୍ଦୀରୁ ମୁକ୍ତ ହୋଇଥିଲେ ।
ଦେଶବାସୀଙ୍କ ମଧ୍ୟରେ ଜାତୀୟତା ପ୍ରେମ ଜାଗ୍ରତ ହୋଇଥିଲା ଏବଂ ଇଂରେଜ ସରକାର ବିଶ୍ବସନୀୟତା ହରାଇଥିଲେ ।
ଆନ୍ଦୋଳନ ସମୟରେ କଟକଣା ସତ୍ତ୍ବେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିଲା ଏବଂ ସରକାରୀ ସମ୍ପତ୍ତି କ୍ଷୟକ୍ଷତି ହୋଇଥିଲା ।
ଏହି ଆନ୍ଦୋଳନ ଦେଖାଇ ଦେଇଥିଲା ଯେ, ଭାରତବାସୀଙ୍କ ସହମତି ବିନା ଭାରତ ଉପରେ ଶାସନ କରିବା ସମ୍ଭବ ନୁହେଁ ।
ଏହା ଭାରତରେ ବ୍ରିଟିଶ ଶାସନର ମୂଳଦୂଆ ଦୋହଲାଇ ଦେଇଥିଲା ଓ ପୂର୍ଣ୍ଣ ସ୍ବରାଜ ପାଇଁ ଦାବିକୁ ଆହୁରି ମଜଭୁତ କରିଥିଲା ।
ମହାତ୍ମା ଗାନ୍ଧୀ, ଅବଦୁଲ କାଲାମ ଆଜାଦ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇତ୍ୟାଦି ଭାରତ ଛାଡ଼ ଆନ୍ଦୋଳନ ପ୍ରମୁଖ ଥିଲେ । କିନ୍ତୁ ହିନ୍ଦୁ ମହାସଭା, ମୁସଲିମ୍ ଲିଗ୍, ଦ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଭଳି ଅନେକ ସଂଗଠନ ଏହାର ବିରୋଧ କରିଥିଲେ । ଭାରତ ଛାଡ ଆନ୍ଦୋଳନ ବାହାରେ ସୁବାଷ ଚନ୍ଦ୍ର ବୋଷ ବ୍ରିଟିଶଙ୍କ ବିରୋଧରେ 'ଆଜାଦ୍ ହିନ୍ଦ ସରକାର' ଓ 'ଭାରତୀୟ ରାଷ୍ଟ୍ରୀୟ ସେନା'ର ପ୍ରତିଷ୍ଠା କରିଥିଲେ । ପୂର୍ଣ୍ଣ ସ୍ବରାଜକୁ ବିରୋଧ କରୁଥିବା ସି ରାମଗୋପାଳଚାରୀ ଇସ୍ତଫା ଦେଇଥିଲେ ।
ଗାନ୍ଧୀଜୀଙ୍କ ସ୍ବାଧୀନତାର ମନ୍ତ୍ର ଛୁଇଁଥିଲା ଅଗଣିତ ଦେଶବାସୀଙ୍କ ହୃଦୟକୁ:
ଭାରତ ଛାଡ଼ ଆନ୍ଦୋଳନ ମାଧ୍ୟମରେ ଭାରତବାସୀଙ୍କୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଏକତ୍ରିତ କରିବାକୁ ଗାନ୍ଧୀଜୀ ଅନେକ ନାରା, ସ୍ଲୋଗାନ ଦେଇଥିଲେ । ତା' ମଧ୍ୟରୁ ସବୁଠୁ ଅଧିକ ପ୍ରଭାବଶାଳୀ ଥିଲା 'କର ବା ମର' । ଆମେ ଭାରତକୁ ସ୍ବାଧୀନତା ଦେବା, ନଚେତ୍ ଏହି ପ୍ରଚେଷ୍ଟାର ମରିଯିବା । ଆମେ ଆମର ଦାସତ୍ବ ଦେଖିବାକୁ ଜୀବିତ ରହିବା ନାହିଁ ବୋଲି ବାପୁଙ୍କର ଆହ୍ବାନ ଥିଲା । ସେହିପରି 'ଆମର ଲଢେଇ କ୍ଷମତା ପାଇଁ ନୁହେଁ, ବରଂ ଭାରତର ସ୍ବତନ୍ତ୍ରତା ପାଇଁ ଏକ ଅହିଂସା ଲଢେଇ' 'ସ୍ବାଧୀନତା ସଂଗ୍ରାମର ଜଣେ ଅହିଂସା ଯୋଦ୍ଧା ନିଜ ପାଇଁ ନୁହେଁ, କେବଳ ଦେଶ ପାଇଁ ଲଢେଇ କରିବ' 'କେବଳ ଏକମାତ୍ର ସତ ବଞ୍ଚିରହିବ, ବାକି ସବୁ କିଛି ସମୟ ସହିତ ଲୀନ ହୋଇଯିବ' ଏମିତି ଅନେକ ସ୍ଲୋଗାନ ଓ ଆହ୍ବାନ ଦେଇଥିଲେ ଗାନ୍ଧିଜୀ ।
୯ ଅଗଷ୍ଟ କ୍ରାନ୍ତି ଆନ୍ଦୋଳନର ବିଫଳତା:
ଭାରତ ଛାଡ଼ ଆନ୍ଦୋଳନର ଜବାବରେ ଇଂରେଜ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହିତ ପ୍ରାୟ ସମସ୍ତ କଂଗ୍ରେସ ନେତାଙ୍କୁ ବିନା କୌଣସି ମାମଲାରେ ଜେଲ୍ରେ ଭର୍ତ୍ତି କରିଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ନେତା ୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ବ୍ରିଟିଶ ଶାସକ ଜାତୀୟ କଂଗ୍ରେସ ଏକ ବେଆଇନ ସଂଗଠନ ଘୋଷଣା କରିଥିଲେ । ସମଗ୍ର ଦେଶରେ ଏହାର କାର୍ଯ୍ୟାଳୟ ଉପରେ ଚଢାଉ କରି ପାଣ୍ଠିକୁ ଫ୍ରିଜ କରିଦେଇଥିଲେ । ପ୍ରମୁଖ ନେତାମାନଙ୍କ ଗିରଫଦାରୀ, ସରକାରୀ ବିଲ୍ଡିଂକୁ ଉପରେ ଚଢାଉ, ଏଥିରେ ନିଆଁ ଲଗାଇବା ଓ ବ୍ୟାପକ ଭଙ୍ଗାରୁଜା ଘଟଣା ସହିତ ଭାରତ ଛାଡ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ଦୁର୍ବଳ ସମନ୍ବୟ ଓ ସ୍ବଚ୍ଛ କାର୍ଯ୍ୟଯୋଜନାର ଅଭାବ କାରଣରୁ ୧୯୪୩ ସୁଦ୍ଧା ଏହି ଆନ୍ଦୋଳନ ଶେଷ ହୋଇଯାଇଥିଲା ଓ ଏହାର ଆଉ ଅଧିକ ପ୍ରଭାବ ପଡିନଥିଲା ।