ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହତ୍ୟା ଧମକ । ମେଟ୍ରୋ ଟ୍ରେନର କୋଚ ଭିତରେ କେଜ୍ରିୱାଲଙ୍କୁ ହତ୍ୟା କରାଯିବା ନେଇ ଉଲ୍ଲେଖ ହୋଇଛି । କେବଳ କୋଚ ଗୁଡିକରେ ନୁହଁ ବରଂ ଷ୍ଟେସନ ଗୁଡିକରେ ମଧ୍ୟ ଏପରି ଲେଖା ହୋଇଛି । ଯାହାକୁ ନେଇ ଦିଲ୍ଲୀରେ ରାଜନୀତି ଜୋରଦାର ଧରିଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଏହାକୁ ଗୁରୁତର ସହ ନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛି। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ।
ଦିଲ୍ଲୀ ପୋଲିସ ମେଟ୍ରୋ ଡିସିପି ରାମ ଗୋପାଳ ନାୟକ କହିଛନ୍ତି ଯେ, ମେଟ୍ରୋ କୋଚରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ନେଇ ଉଲ୍ଲେ୍ଖ ରହିଥିବା ଡିଏମଆରସି ପକ୍ଷରୁ ଏକ ଅଭିଯୋଗ ଆସିଥିଲା। ଏହା ପରେ ରାଜୌରୀ ଗାର୍ଡେନ ମେଟ୍ରୋ ପୋଲିସ ଷ୍ଟେସନରେ ସମ୍ପୃକ୍ତ କାର୍ଯ୍ୟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ, ସୋମବାର ସକାଳେ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିଓ୍ବାଲଙ୍କ ବିରୋଧରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ହତ୍ୟା ଷଡଯନ୍ତ୍ର ରଚିଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ରାଜୀବ ଚୌକ, ପଟେଲ ଚୌକ୍ ମେଟ୍ରୋ ଷ୍ଟେସନରେ ଲିଖିତ ଆକାରରରେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ଦିଆଯାଇଛି। ଯଦି ସେମାନଙ୍କ ସହ କିଛି ଘଟେ ତେବେ PM, PMO ଏବଂ ବିଜେପି ଏଥିପାଇଁ ଦାୟୀ ରହିବେ ।
ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ନେଇ ଇମେଲ ଜରିଆରେ ନିର୍ବାଚନ ଆୟୋଗକଙ୍କ ନିକଟରେ ଅଭିଯା କରାଯାଇଥିବା ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି । ସେ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଆମ୍ ଆଦମୀ ପାର୍ଟିର ମୁଖ୍ୟ। ରାଜୀବ ଚୌକ୍ ଏବଂ ପାଲେଟ୍ ନଗର ମେଟ୍ରୋ ଷ୍ଟେସନରେ କୋଚ୍ ଭିତରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ଅଙ୍କିତ ଗୋୟଲଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ମେଟ୍ରୋ ଭିତରେ ଏବଂ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯାଉଛି କିନ୍ତୁ ମେଟ୍ରୋ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଦିଲ୍ଲୀ ପୋଲିସ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।