ପ୍ରୟାଗରାଜ: କଥାରେ ଅଛି, ଝିଅ ଜନମ ପର ଘରକୁ । ଏନେଇ ବାପା ମାଆ ମଧ୍ୟ ନିଜ ଝିଅର ବାହାଘର ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଝିଅ ବାହା ହେବ, ସୁଖ ଶାନ୍ତିରେ ରହିବ ଏଭଳି ଅନେକ ସ୍ନପ୍ନର ସହ ଝିଅର ବାହାଘରରେ କୌଣସି ପ୍ରକାର ଜିନିଷ କମ କରନ୍ତି ନାହିଁ । ଠିକ୍ ସେହିପରି କିଛି ସ୍ୱପ୍ନ ଦେଖିଥିଲେ ଅଂଶିକାଙ୍କ ବାପାମାଆ, ହେଲେ ସେହି ସ୍ୱପ୍ନ ଏବେ ଅଧାରେ ହିଁ ରହିଗଲା । ବିବାହର କିଛି ଦିନ ପରେ ଶାଶୁ ଘରେ ଜୀବନ ହାରିଛନ୍ତି ନବବିବାହିତା । ଆଉ କଥା ଶୁଣି ଦୁଃଖରେ ଭାଙ୍ଗିପଡିଥିବା ଝିଅର ବାପା ମାଆ ଏମିତି କିଛି କରିଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଛୋଟରୁ ବଡ କରିଥିବା ଝିଅର ମୃତ୍ୟୁକୁ ସହି ନ ପାରି ଘଟଣାରେ ବାପଘର ଲୋକେ ଝିଅର ଶ୍ୱଶୁର ଘରେ ନିଆଁ ଲଗାଇଥିଲେ । ଫଳରେ ଶାଶୁ ଶଶୁର ଜୀଅଁନ୍ତା ଜଳିଯାଇଥିବା ଜଣାପଡିଛି ।
ଜୀବନ ହାରିଲେ ନବବିବାହିତା
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଧୁମଙ୍ଗଞ୍ଜ ଅଞ୍ଚଳର ଅଂଶିକା ଗତ ଫେବୃଆରୀ ମାସରେ ପ୍ରୟାଗରାଜ ମୁଠିଗଞ୍ଜ ପୋଲିସ ଷ୍ଟେସନ ପରିସରରେ ରହୁଥିବା ଅନସୁ କେଶରୱାନୀଙ୍କୁ ବିବାହ କରିଥିଲେ । ହେଲେ ଗତ ସୋମବାର (ଫେବୃଆରୀ ୧୮) ରାତିରେ ଅନସୁଙ୍କ ପରିବାର ତାଙ୍କ ପତ୍ନୀ ଅଂଶିକାଙ୍କ ପରିବାରକୁ ଡାକି ସୂଚନା ଦେଇଥିଲେ ଯେ ସେ ଅପରାହ୍ନ 3 ଟାରୁ ତାଙ୍କ ଝିଅ ରୁମର କବାଟ ବନ୍ଦ କରିଦେଇଛି । ଏହା ପରେ ବାପଘର ଲୋକେ ଅଂଶିକାଙ୍କ ଶାଶୁ ଘରେ ପହଞ୍ଚି ଦେଖିବା ବେଳକୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ଏହା ପରେ ଅଭିଭାବକମାନେ ନିଜ ଝିଅକୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରି ଉତ୍ତେଜନା ଆରମ୍ଭ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।
ଶାଶୁ-ଶ୍ୱଶୁର ଜୀବନ୍ତ ଦଗ୍ଧ
ପରେ ଘଟଣାରେ ଉତ୍ୟକ୍ତ ହୋଇ ଅଂଶିକାଙ୍କ ପରିବାର ଲୋକେ ତାଙ୍କ ଶାଶୁ ଘରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଫଳରେ ସେହି ନିଆଁରେ ଶାଶୁ-ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟରେ ସେ ଘରୁ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଶାଶୁ ଓ ଶ୍ୱଶୁରଙ୍କ ଜ୍ୱଳନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ ।
ମାମଲା ରୁଜୁ, ପୋଲିସର ତଦନ୍ତ ଆରମ୍ଭ
ସୂଚନା ଥାଉ କି, ପୂର୍ବରୁ ଝିଅ ପରିବାର ଶାଶୁଘର ଉପରେ ତାଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଆଉ ଏବେ ଝିଅ ପରିବାର ସଦସ୍ୟ ତାଙ୍କ ଶାଶୁଙ୍କୁ ଘରେ ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପୋଲିସ ଘଟଣା ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଘଟଣା ନେଇ ଡିସିପିଙ୍କ ପ୍ରତିକ୍ରିୟା
ସେପଟେ ଘଟଣା ନେଇ ସିଟି ଡିସିପି ଦୀପକ ଭୁକର କହିଛନ୍ତି ଯେ ଗତକାଲି ରାତି 11 ଟା ସମୟରେ ମୁଠିଗଞ୍ଜ ପୋଲିସ ଷ୍ଟେସନରେ ଅଂଶିକା କେସରୱାନୀ ନାମକ ଜଣେ ମହିଳା ତାଙ୍କ ଶାଶୁ ଘରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ପରେ ଉଭୟ ପକ୍ଷରେ ଝଗଡ଼ା ହେବା ପରେ ବାପ ଘରଲୋକ ଶ୍ୱଶୁର ଘରେ ନିଆଁ ଲଗାଇଥିଲେ । ପୋଲିସ ରାତି ପ୍ରାୟ 3 ଟାରେ ଏଥିରେ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ନିଆଁକୁ ଆୟତ୍ତ କରିଥିଲା । ଦୁଇଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଉଭୟ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଥିବା ବେଳେ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଥିବା କହିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ: ଅର୍ଦ୍ଧଦଗ୍ଧ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ