ପାଟନା: ନିର୍ବାଚନର ଦିନକ ପୂର୍ବରୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା । ବାଇକରେ ଆସି ଦୁଇ ଜଣଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ । ଏଥିରେ ଜଣେ ଯୁବନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ବିହାର ରାଜଧାନୀ ପାଟନାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ବିହାରରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ମୃତ ଜେଡିୟୁ ନେତା ହେଲେ ସୌରଭ କୁମାର । ତାଙ୍କ ସାଙ୍ଗରେ ଥିବା ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସର ସୂଚନା ମୁତାବକ, କାଲି ରାତିରେ ସୌରଭ କୁମାର ନିଜ ସାଙ୍ଗ ସହ ଏକ ବିବାହ ରିସେପସନରେ ଯୋଗ ଦେଇ ଫେରୁଥିଲେ । ବାଟରେ ଚାରି ଜଣ ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ଦୁହିଁଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ । ସୌରଭଙ୍କ ଦେହରେ ୫ଟି ଗୁଳି ବାଜିଥିଲା ଏବଂ ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସହ ଥିବା ସାଙ୍ଗ ମୁନମୁନ କୁମାରଙ୍କ ଦେହରେ ବି ୩ଟି ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ବାପାମାଆକୁ ହତ୍ୟା ପାଇଁ ସୁପାରୀ ଦେଲା ପୁଅ - Gadag Muder Case Solved
ଯାହା ସୂଚନା ମିଳିଛି, ଜେଡିୟୁର ଯୁବନେତା ସୌରଭ କୁମାର ସକରୌଚା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରାର୍ଥୀ ଥିଲେ । ସେ ପ୍ରପଟି ଡିଲିଂ କାମ ମଧ୍ୟ କରୁଥିଲେ । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ହୋଇନି । ନିର୍ବାଚନର ଦିନକ ପୂର୍ବରୁ ଏହି ଜଘନ୍ୟ କାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଦୁର୍ବୃତ୍ତ ଧରିବାକୁ ପ୍ରୟାସ ଚାଲିଛି । ତେବେ ଏ ଯାଏଁ ସମ୍ପୃକ୍ତ ଅପରାଧୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ