ରାଞ୍ଚି: ପରିଣତ ବୟସରେ ପହଞ୍ଚିଲେଣି ଝାଡ଼ଖଣ୍ଡ ସାହିବଗଞ୍ଜ ଅଞ୍ଚଳର ଖଲିଲ ଅନସାରୀ । ବୟସ 92 ବର୍ଷ ହୋଇଥିବା ବେଳେ ସେ ଆଜି ପର୍ଯ୍ୟନ୍ତ ନିଜର ନେତା ବାଛିନାହାନ୍ତି । ନିର୍ବାଚନ ଆସେ ଯାଏ, ହେଲେ ନିଜ ଭୋଟ ଦେଇପାରନ୍ତିନି ଖଲିଲ । ହେଲେ ଚଳିତ ନିର୍ବାଚନରେ ଭୋଟ ଦେଇ ନିଜ ନେତା ବାଛିବେ । ଏନେଇ ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ରବି କୁମାରଙ୍କ ତତ୍ତ୍ବାବଧାନରେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଲିଛି ।
ବାସ୍ତବ କଥା ହେଉଛି ଆଜି ପର୍ଯ୍ୟନ୍ତ ଖଲିଲ ଅନସାରୀଙ୍କ ନାଁ ଭୋଟର ତାଲିକାରେ ଆସିପାରିନାହିଁ । ଖଲିଲ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ଲାଠି ସାହାଯ୍ୟରେ ଚଳପ୍ରଚଳ କରନ୍ତି । ଝାଡ଼ଖଣ୍ଡ ସାହିବଗଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଶୁମାର ମଣ୍ଡେରାରେ ପୋଲିଂ ବୁଥ୍ ନିରୀକ୍ଷଣ କରିବାକୁ ଯାଇଥିବା ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ରବି କୁମାରଙ୍କ ଖଲିଲ ସହିତ ଭେଟ ହୋଇଥିଲା । ସେ ଆଜି ପର୍ଯ୍ୟନ୍ତ ମତଦାନ କରି ନପାରିଥିବାକୁ ନେଇ ରବି କୁମାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହା ବି ପଢନ୍ତୁ- ୧୨ଟି ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ମତଦାତା
ଖଲିଲଙ୍କ କହିବାନୁସାରେ ପୂର୍ବରୁ ସେ ପୁର୍ଣ୍ଣିଆ ଜିଲ୍ଲାରେ ରହୁଥିଲେ, କିନ୍ତୁ ଏବେ ବଡଘୋରିରେ ରହୁଛନ୍ତି । ମତଦାତା ତାଲିକାରେ ନାଁ ନଥିବା କାରଣରୁ ସେ ଭୋଟିଂରୁ ବଞ୍ଚିତ ହୋଇଆସୁଛନ୍ତି । ଏହାପରେ ରବି କୁମାର ତୁରନ୍ତ ତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଅନ୍ୟ ଜଣେ ବରିଷ୍ଠ ମତଦାତାଙ୍କୁ ଭେଟି ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ- ଜାଣନ୍ତୁ ଦେଶର ବୟସ୍କ ଭୋଟରଙ୍କ ବିଷୟରେ
ଏହାବାଦ ମତଦାନ କେନ୍ଦ୍ରରେ ଶୌଚାଳୟ, ପାନୀୟ ଜଳର ସୁବିଧା, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ଫ୍ୟାନ ଲଗାଇବାର ସୁବିଧା, ସେଡ ନିର୍ମାଣ ଆଦି ଉପରେ ଗୁରୁତ୍ବାରୋପ କରିଛନ୍ତି । କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ସେ ସମ୍ପର୍କରେ ମଧ୍ୟ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି । ନିକଟରେ ସାଧାରଣ ନିର୍ବାଚନକୁ ନେଇ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସମସ୍ତ ରାଜ୍ୟ ବୁଲି ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ପ୍ରତି ରାଜ୍ୟର ବୁଥ ସ୍ତରରେ ପ୍ରସ୍ତୁତିର ତଦାରଖ କରୁଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ