ରାଇରଙ୍ଗପୁର: ବାରିପଦା ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଖେଳ ପଡିଆ ଠାରେ ଅନୁଷ୍ଠିତ ‘ନୂଆ-ଓ’ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ପାଣ୍ଡିଆନ ଯୋଗ ଦେଇଥିଲେ । ସେଠାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ନୂଆ ଓଡିଶା ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ପାଣ୍ଡିଆନ ।
ତେବେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ପାଠପଢ଼ାରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ପାଣ୍ଡିଆନ କହିଥିଲେ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବୃଦ୍ଧି ଜରୁରୀ । ଏହି ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନୂଆ-ଓ’ କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ସହିତ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ଘଟାଇ ସେମାନଙ୍କୁ ଆଗକୁ ନେବାରେ ସହାୟକ ହେବ । ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାରୁ ଏହି ଜିଲ୍ଲା ସହିତ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଥିବା କହିଥିଲେ ପାଣ୍ଡିଆନ ।
ତେବେ ଆଜିର କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଛ୍ରାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଜିଲ୍ଲାକୁ ଶ୍ରେଷ୍ଠ ଭାବେ ପ୍ରତିପାଦନ କରିଛନ୍ତି ବୋଲି କହିଥିଲେ । ନୂଆ ଓଡ଼ିଶା ସହିତ ଶିକ୍ଷାନୁଷ୍ଠାନ ରୂପାନ୍ତିକରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ୫-ଟି କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ପରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ୬୦କୋଟି ଟଙ୍କା ମଞ୍ଜୁର କରିଥିବା କହିଛନ୍ତି ପାଣ୍ଡିଆନ । ଆଗାମୀ ୨ ମାସ ମଧ୍ୟରେ ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ପାଣ୍ଡିଆନ ।