ପାଟନା: ବାରମ୍ବାର ବେଆଇନ ସୁନା ଚାଲାଣ ଖବର ସାମ୍ନାକୁ ଆସୁଛି । ପ୍ରାୟତଃ ବିମାନ ଯୋଗେ ସୁନା ଚୋରା ଚାଲାଣ ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଥର ଖୁଲମଖୁଲା ବସରେ ସୁନା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ 5.8 କିଗ୍ରା ସୁନା ଜବତ କରିଛି ପୋଲିସ । ତେବେ ବିହାରରୁ ଏଭଳି ଏକ ସୁନା ତସ୍କରୀ ମାମଲା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ବିହାରର ପୂର୍ଣ୍ଣିଆ ପୋଲିସ ଦାଲକୋଲା ଚେକ୍ ପୋଷ୍ଟ ଠାରେ ଗାଡି଼ ଚେକିଂ କରୁଥିଲା । ଏହି ସମୟରେ ସିଲିଗୁଡା଼ରୁ ଆସୁଥିବା ଏକ ବସକୁ ଅଟକାଇ ଥିଲେ ପୋଲିସ । ତେବେ ବସରେ ଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରିବା ସମୟରେ ଜଣେ ଯୁବକକୁ ସନ୍ଦେହ କରିଥିଲା ପୋଲିସ । ଏହାପରେ ଯୁବକ ଜଣକୁ ଯାଞ୍ଚ କରିବା ବେଳେ ତାଙ୍କ ଠାରୁ ବିପୁଳ ପରିମାଣରେ ସୁନା ବିସ୍କୁଟ ଧରାପଡ଼ିଥିଲା । ଯୁବକ ଜଣଙ୍କ ନିଜ ପେଟରେ ସୁନା ବିସ୍କୁଟ ବାନ୍ଧି ବସରେ ଯାଉଥିଲେ । ଯୁବକଙ୍କ ଠାରୁ ପ୍ରାୟ 5.8 କିଗ୍ରାର ସୁନା ଜବତ କରାଯାଇଛି । ଏହି ସୁନାର ଆନୁମାନିକ ବଜାର ମୂଲ୍ୟ ପାଖାପାଖି 3 କୋଟି 56 ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ....ହାଇଦ୍ରାବାଦ ଏୟାରପୋର୍ଟରୁ 8 କେଜି ସୁନା ଜବତ, 4 ଗିରଫ