ନିର୍ବାଚନ ପରେ ବି କମିଲାନି EMI ବୋଝ, ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ REPO RATE UNCHANGED
Published : Jun 7, 2024, 11:19 AM IST
|Updated : Jun 7, 2024, 11:47 AM IST
ନୂଆଦିଲ୍ଲୀ:ଏଥରି ବି ବଦଳିଲାନି ସୁଧହାର । ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମୁମ୍ବାଇରେ ୩ ଦିନିଆ ମୁଦ୍ରାନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ସମ୍ପର୍କରେ ଆଜି ଘୋଷଣା କରିଛନ୍ତି । ଏହାର ଅର୍ଥ ଲୋନ EMIରେ କୌଣସି ପରିବର୍ତ୍ତନ ହେବନି । ତେବେ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବର୍ଷ ଜିଡିପି ଅଭିବୃଦ୍ଧି ଆକଳନ ବଢାଇଛି । ଅଭିବୃଦ୍ଧି ହାର ୭ ପ୍ରତିଶତରୁ ବଢାଇ ୭.୨ ପ୍ରତିଶତ ରହିବା ନେଇ ଅନୁମାନ କରିଛି । ଏଠାରେ କହିରଖୁଛୁ କି, ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଯେଉଁ ସୁଧହାରରେ ଋଣ ଦେଇଥାଏ, ତାକୁ ରେପୋ ରେଟ କହନ୍ତି । ଏଥିରେ ପରିବର୍ତ୍ତନ ହେଲେ ବାଣିଜ୍ୟିକ ବ୍ୟାଙ୍କ ଗ୍ରାହକ ସିଧାସଳଖ ପ୍ରଭାବିତ ହୋଇଥାନ୍ତି ।