ସୁବର୍ଣ୍ଣପୁରରେ ପ୍ରତିଷ୍ଠା ହେଲା ନବ ନିର୍ମିତ ଶ୍ରୀରାମ ମନ୍ଦିର - subarnapur news
Published : Jan 22, 2024, 10:07 PM IST
Ram Mandir Pratishtha:ସୁବର୍ଣ୍ଣପୁର: ଜିଲ୍ଲାର ବିରମହରାଜପୁର ଉପାଖଣ୍ଡର ତିକୁଡ଼ା ଗାଁରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆୟୋଜିତ ହୋଇଯାଇଛି । ଉତ୍ତର ପ୍ରଦେଶ ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିରରେ ଶ୍ରୀରାମ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ରୀତିନୀତି ଅନୁଯାୟୀ ତିକୁଡ଼ା ଗାଁର ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଳନ କରାଯାଇଛି । ମନ୍ଦିର ପ୍ରତିଷ୍ଠା ସହିତ ନବ ନିର୍ମିତ ମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ପ୍ରତିଷ୍ଠା କରାଯାଇଛି । ଗତ ଜାନୁଆରୀ ୧୮ ତାରିଖ ଗୁରୁବାର ଦିନ ମନ୍ଦିର ପ୍ରତିଷ୍ଠା ପାଇଁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା । ସେହିପରି ପର ଦିନ କଳସ ଶୋଭାଯାତ୍ରା, ଶନିବାର ନାମାରମ୍ଭ , ରବିବାର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ଆଜି ନବ ନିର୍ମିତ ମନ୍ଦିରର ସିଂହାସନରେ ଶ୍ରୀ ବିଗ୍ରହଙ୍କ ପ୍ରତିଷ୍ଠା କରାଯାଇଥିଲା ।
ଆଜି ଶ୍ରୀବିଗ୍ରହ ପ୍ରତିଷ୍ଠା ସହିତ ଅଯୋଧ୍ୟା କାଣ୍ଡ ପରାୟଣ ଆୟୋଜନ କରାଯାଇଥିଲା । ଆସନ୍ତାକାଲି ମଙ୍ଗଳବାର ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ବିଗ୍ରହ ପ୍ରତିଷ୍ଠା ସମାରୋହର ପୂର୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହିତ ସୁନ୍ଦରା କାଣ୍ଡ ପାରାୟଣ ପଠନ କାର୍ଯ୍ୟକ୍ରମ ରହିଛି । ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପର୍ବ ଅବସରରେ ଗାଁରେ ତିନି ଦିନ ଧରି ମୁକ୍ତ ମଞ୍ଚରେ ରାବଣ ଦରବାର ଲୀଳାଭିନୟ ବା ନୃତ୍ୟ ନଟିକା ଆୟୋଜନ କରାଯାଇଛି । ଏହିଥି ପାଇଁ ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମର ଭରପୁର ମଜା ନେଉଛନ୍ତି ଜନସାଧାରଣ । ପାଖପଡ଼ୋଶୀ ଗାଁର ଲୋକମାନେ ମଧ୍ୟ ଏହି ମହୋତ୍ସବରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର