ଖଡ଼ିରେ ଅଧା ଇଞ୍ଚର ଶିବଲିଙ୍ଗ ତିଆରି ଚର୍ଚ୍ଚାରେ ଶିଳ୍ପୀ ଈଶ୍ୱର - Shiva Linga In Chalk
Published : Mar 7, 2024, 7:11 PM IST
Shiva Linga In Chalk : ଖୋର୍ଦ୍ଧା: ଖଡ଼ିରେ ଶିବଲିଙ୍ଗ କରି ଚର୍ଚ୍ଚାରେ ସୂକ୍ଷ୍ମ ଶିଳ୍ପୀ । ନିଜର ସୂକ୍ଷ୍ମ କଳାକୃତି ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳାକୃତି ତାଙ୍କୁ ଜନ ମାନସରେ ପରିଚିତ କରାଇଛି । କେତେବେଳେ କାଚ ବୋତଲ ଭିତରେ ସୂକ୍ଷ୍ମ କଳାକୃତି ତ ଆଉ କେତେବେଳେ ଦିଆସିଲ କାଠି ସାହାଯ୍ୟରେ କଳାକୃତି ତାଙ୍କୁ ପ୍ରସିଦ୍ଧ କରାଇଛି । ଏହି ସୂକ୍ଷ୍ମ ଶିଳ୍ପୀ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳର ଏଲ୍ ଈଶ୍ୱର ରାଓ । ଖାଲି ଏତିକି ନୁହେଁ, ନିଜେ କରିଥିବା ସୂକ୍ଷ୍ମ କଳାକୃତିକୁ ଏକ ମିଉଜିୟମ କରି ସାଇତି ରଖିଛନ୍ତି । ସେହିଭଳି ଆସନ୍ତାକାଲି ମହାଶିବରାତ୍ରି ପାଇଁ ସବୁଆଡ଼େ ଶିବମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଚକ ଖଡିରେ ସୂକ୍ଷ୍ମ ଶିବଲିଙ୍ଗ ଏବଂ ବୃଷଭ କରି ଚର୍ଚ୍ଚାକୁ ଆସିଛନ୍ତି ଈଶ୍ବର ।
ସେ ଏକ ଚକ ଖଣ୍ଡରେ ଅଧା ଇଞ୍ଚର ଶିବଲିଙ୍ଗ ପ୍ରସ୍ତୁତ କରିଛନ୍ତି । ଶିବରାତ୍ରି ପାଇଁ ଖାଲି ଶିବଲିଙ୍ଗ ପ୍ରସ୍ତୁତ କରି ନାହାନ୍ତି, ବରଂ ଏକ ସେଣ୍ଟିମିଟରରେ ଚକ ଖଡ଼ିରେ ବୃଷଭ ପ୍ରସ୍ତୁତ କରିଛନ୍ତି ଈଶ୍ୱର । ଏହି କଳାକୁ ପ୍ରସ୍ତୁତ କରିବା ପାଇଁ ଈଶ୍ୱରଙ୍କୁ ଦୁଇ ଦିନ ସମୟ ଲାଗିଥିବା ସେ କହିଛନ୍ତି । ଏହି କଳା ମାଧ୍ୟମରେ ସମସ୍ତଙ୍କୁ ପବିତ୍ର ମହା ଶିବରାତ୍ରୀର ଶୁଭେଚ୍ଛା ଜଣାଇବା ସହ ମହାଦେବ ସମସ୍ତଙ୍କୁ ଭଲ ବୁଦ୍ଧି ଏବଂ ଭଲ ମାର୍ଗରେ ନେବାପାଇଁ ପ୍ରାର୍ଥନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ......ଲଣ୍ଡନ ବୁକ୍ ଅଫ ୱାଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଶା ବାଲୁକା କଳା
ଇଟିଭି ଭାରତ, ଖୋର୍ଦ୍ଧା