ସୁରେନ୍ଦ୍ର ସିଂହଙ୍କୁ ବଲାଙ୍ଗୀର ଲୋକସଭା ଟିକେଟ୍, କହିଲେ ନବୀନଙ୍କ ବିକାଶ ଲହରରେ ବିଜୟ ନିଶ୍ଚିତ - Lok sabha polls 2024 - LOK SABHA POLLS 2024
Published : Apr 4, 2024, 7:22 AM IST
ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବଲାଙ୍ଗୀରରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସୁରେନ୍ଦ୍ର ସିଂହ ଭୋଇଙ୍କୁ ମିଳିଛି ଟିକେଟ୍ । ନିକଟରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ସୁରେନ୍ଦ୍ର । ଏବେ ତାଙ୍କୁ ଲୋକସଭା ଟିକେଟ୍ ମିଳିବା ପରେ ତାଙ୍କର ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସଇଁତଳା ସ୍ଥିତ ବାସଭବନରେ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକମାନେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ଉତ୍ସବ ମନାଇଛନ୍ତି । ସେପଟେ ଦଳ ତାଙ୍କ ଉପରେ ଭରସା କରିଥିବାରୁ ସୁରେନ୍ଦ୍ର ସିଂହ ଭୋଇ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭିକେ ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସବୁ ଶୀର୍ଷ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରାର୍ଥିତ୍ବ ଘୋଷଣା ପରେ ସୁରେନ୍ଦ୍ର ଭୋଇ କହିଛନ୍ତି ଯେ, ଏଥର କେବଳ ଗୋଟିଏ ମୁଦ୍ଦା ବିକାଶ ହିଁ ରହିବ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଲହର ଚାଲିଛି ଓ ଏହି ଲହର ସାମ୍ନାରେ ସବୁ ଫେଲ୍ । ନବୀନଙ୍କ ବିକାଶ ଲହର ଯୋଗୁଁ ଏଠାରେ ତାଙ୍କର ବିଜୟ ସୁନିଶ୍ଚିତ । ବିଜେଡି ବଲାଙ୍ଗୀରରେ ଆହୁରି ମଜବୁତ ହେବ ଓ ବିକାଶର ଧାରା ଜାରି ରହିବ ବୋଲି ସେ ଦୃଢୋକ୍ତ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁରେନ୍ଦ୍ର ସିଂହ ଭୋଇ 1995 ଓ 2000 ଯାଏଁ ସଇଁତଳା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ରହିଥିଲେ । 2009 ନିର୍ବାଚନରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ପୁଣିଥରେ ବିଜୟୀ ହୋଇଥିଲେ । ଏହାରି ମଧ୍ୟରେ ସେ ଥରେ ମନ୍ତ୍ରୀ ଓ ଥରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇ ଥିଲେ । ଦୀର୍ଘ 38 ବର୍ଷ କାଳ ସେ କଂଗ୍ରେସ ଦଳର ଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ସେ କଂଗ୍ରେସ ଛାଡି ନିଜର ସମର୍ଥକଙ୍କ ସହ ବିଜେଡିରେ ମିଶିଥିଲେ ।
ଇଟିଭି ଭାରତ, ବଲାଙ୍ଗୀର