ରାତି ପାହିଲେ ଇଦ୍, କଟକରେ ପ୍ରସ୍ତୁତି ଶେଷ - eid ul fitr
Published : Apr 10, 2024, 11:19 AM IST
କଟକ: ଆସନ୍ତାକାଲି ଇସଲାମ ଧର୍ମର ପବିତ୍ର ଇଦ । ଦୀର୍ଘ ଏକ ମାସର ଉପବାସ ବ୍ରତ ଉଦଯାପନ କରିବେ ମୁସଲମାନ ଭାଇଭଉଣୀ । ଇଦ ପାଇଁ ଉତ୍ସବ ମୁଖର କଟକ ସହର । ତେବେ ଇଦ ପାଳିବା ପାଇଁ ଭାଇଚାର ସହର କଟକରେ ଇସଲାମ ଧର୍ମାବଲମ୍ବୀ ଲୋକେ ବେଶ ଉତ୍ସାହିତ । ସେହିପରି ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁସଲିମ ସମ୍ପ୍ରଦାୟର ଛୋଟ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହେବେ ।
ତେବେ ବିଧି ମୁତାବକ ଆଜି(ବୁଧବାର) ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ପାଳନ ହେବ ପର୍ବ । ତେବେ କଟକ ସହରରେ ପ୍ରାୟ 40 ରୁ ଊର୍ଦ୍ଧ୍ବ ଛୋଟ ବଡ଼ ମସଜିଦ ରହିଛି । ବିଶେଷ କରି କଦମ ରସୁଲ, ଇଦଗା, ବୁଖାରୀବାବା ମସଜିଦରେ ସମୂହ ନମାଜ ପାଠ ହେବ ବୋଲି କହିଛନ୍ତି କଦ୍ଦମ ରସୁଲ ମସଜିଦ ମ୍ୟାନେଜିଂ କମିଟି ସଭାପତି । କଟକରେ ବିଶେଷ କରି କଦ୍ଦମ ଏ ରସୁଲ , ଇଦଗା , ଛୋଟୀ ମସଜିଦ,ବଡି ମସଜିଦ, ପଲଟନ ମସଜିଦ ସୁତାହାଟ, ଓଡ଼ିଆ ବଜାର ମସଜିଦରେ ଚଳିତବର୍ଷ ଇଦ ପର୍ବ ବେଶ ଧୁମଧାମରେ ପାଳନ ହେବ । ସେନେଇ ସମସ୍ତ ମସଜିଦରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି । ଭାଇଚାରା ସହରରେ ଯେପରି ଦୁର୍ଗା ପୂଜା ସେହିପରି ଇଦ ପାଳନ ହୁଏ । ସବୁ ପର୍ବକୁ ବେଶ ଆଡ଼ମ୍ବରରେ ପାଳନ କରିବା ନେଇ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ଅନ୍ୟପଟେ ଏହି ଇଦ ପାଳନକୁ ଦୃଷ୍ଟିରେ ରଖି ସହରରେ ପରିମଳ ବ୍ୟବସ୍ଥା ମଧ୍ୟ ସଠିକ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଆଜି ରମଜାନ ମାସର ଶେଷ ଶୁକ୍ରବାର, ଜାମା ମସଜିଦରେ 'ଅଲବିଦା ନମାଜ' ପାଠ
ଇଟିଭି ଭାରତ, କଟକ