କଳାହାଣ୍ଡିରେ ମତଦାନ ଆରମ୍ଭ: ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ମାଳବିକା ଦେବୀ - Kalahandi Constituency
Published : May 13, 2024, 8:43 AM IST
ଭବାନୀପାଟଣା: ଆଜି ଗଣତନ୍ତ୍ର ମହାନ ପର୍ବ ନିର୍ବାଚନ । ଭୋଟ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଜନତା । ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୫ଟି ନିର୍ବାଚନ ମଣ୍ଡଳୀରେ ୧୨,୦୧,୫୦୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୨୯୬ଟି ବୁଥ ,ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ୨୬୯ଟି ବୁଥ ଓ ନର୍ଲା ୨୭୯, ଜୁନାଗଡ଼ ୨୭୫, ଧର୍ମଗଡରେ ୨୯୩ଟି ବୁଥର ବ୍ୟବସ୍ଥା କରାଯାଇଛି । ସମୁଦାୟ ୧୪୧୨ଟି ବୁଥ ଥିବାବେଳେ ସେଥିମଧ୍ୟରୁ ୧୪୦ ଟି ସମ୍ବେଦନଶୀଳ ବୁଥ ରହିଛି । ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ପିଙ୍କ ବୁଥର ବ୍ୟବସ୍ଥା ହୋଇଛି । ସକାଳୁ ସକାଳୁ ବୁଥରେ ପହଞ୍ଚି ଲମ୍ବା ଲାଇନରେ ଆସି ଭୋଟ ଦେଉଛନ୍ତି ଜନତା । ସେହିପରି କଳାହାଣ୍ଡି ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ମଧ୍ୟ ସକାଳୁ ଭବାନୀପାଟଣା ସହର ଇରିଗେସନ କଲୋନୀ ବୁଥରେ ଧାଡ଼ିରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରି ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ଭୋଟରମାନଙ୍କୁ ଭଲ ଲୋକଙ୍କୁ ଭୋଟ ଦେଇ ଜିତାଇବାକୁ ଅପିଲ୍ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି