ଝାରସୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - Yoga Day Celebration in Jharsuguda - YOGA DAY CELEBRATION IN JHARSUGUDA
Published : Jun 21, 2024, 3:39 PM IST
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଶୁକ୍ରବାର ସକାଳ ପ୍ରାୟ ୭ଟାରୁ ୯ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ମଙ୍ଗଲବଜାର ଠାରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନିଲ ନାରଭାଣେ, ଏସ.ପି. ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଯୋଗ ଆମ ମାନସିକ ଓ ଶାରୀରିକ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଏବଂ ଯୋଗ ଖାଲି ଆଜି ଯୋଗ ଦିବସରେ ନୁହେଁ ବରଂ ନିତି ଦିନିଆ ଏହି ଯୋଗକୁ ଆମ ଜୀବନରେ ଆପଣେଇବା କଥା ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସେପଟେ ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ଯୋଗ ଦିବସରେ ସାମିଲ ହେବା ସହ ଯୋଗର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି ।
ସୂଚନା ଥାଉ କି, ଯୋଗ ଦିବସ ଯୋଗକୁ ଏକ ଆନ୍ଦୋଳନ ରୂପେ ପ୍ରୋତ୍ସାହନ ଦେବା ଉପରେ ଜୋର ଦିଏ, ଯାହା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଥିରତାକୁ ଦୃଢ଼ କରେ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରେ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ’ । ଯୋଗ ଜନସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସମଗ୍ରୀକ ଦୃଷ୍ଟିକୋଣ ପ୍ରଦାନ କରେ ଯାହା ଆମ ବ୍ୟସ୍ତବହୁଳ ଜୀବନରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ । ଜାତିସଂଘ ସାଧାରଣ ସଭାର ୬୯ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ୨୦୧୪ ମସିହା, ଡିସେମ୍ବରରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୧୫ ମସିହା, ଜୁନ୍ ୨୧ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଯୋଗମୟ ସାରା ରାଜ୍ୟ, ବିଭିନ୍ନ ଜିଲ୍ଲାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ
ଝାରସୁଗୁଡ଼ା, ଇଟିଭି ଭାରତ