ମନେପଡେ ମହାବାତ୍ୟା, ମୁକାବିଲାକୁ ନେଇ ଏମିତି କହିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ
Published : Oct 29, 2024, 6:59 PM IST
|Updated : Oct 29, 2024, 7:16 PM IST
Former CM On Super Cyclone: ଭୁବନେଶ୍ବର: ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ଆଜିର ଦିନରେ ପ୍ରକୃତି ରଚିଥିଲା ଧ୍ବଂସଲୀଳା । ୧୯୯୯ ମସିହା ଆଜିର ଦିନରେ ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟ ସାମ୍ନା କରିଥିଲା ଓଡ଼ିଶା । ଗଦା ହୋଇଯାଇଥିଲା ମୃତଦେହର ପାହାଡ । ଜୀବନ ହରାଇଥିଲେ ୧୦ ହଜାର ଲୋକ । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଭାଙ୍ଗି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ ।
ମହାବାତ୍ୟାକୁ ପୁରିଲା ୨୫ ବର୍ଷ:
ପବନର ପ୍ରକୋପ ସହ ପ୍ରକୃତିର ତାଣ୍ଡବଲୀଳା । ସେ ଛାତିଥରା ଦୃଶ୍ୟ ଉପକୂଳ ଓଡିଶାବାସୀଙ୍କ ମନରୁ ଲିଭିନାହିଁ । ୧୯୯୯ ଅକ୍ଟୋବର ୨୯ ତାରିଖ ଓଡିଶାବାସୀଙ୍କ ସବୁବେଳେ ମନେ ରହିବ । ସରକାରୀ ଆକଳନ ଆଧାରରେ ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ଚାଲିଗଲା ହେଲେ ବାସ୍ତବରେ ତାହା ଖୁବ ଅଧିକ ଥିଲା । ତେବେ ମହାବାତ୍ୟାକୁ ପରିଚାଳନା କରିଥିବା ତତ୍କାଳୀନ ରାଜ୍ୟ ମୁଖିଆ ନିଜ କର୍ତ୍ତବ୍ୟ ସଠିକଭାବେ ସମ୍ପାଦନ କରିଥିବା କହିଛନ୍ତି । ସୀମିତ ସାଧନ ମଧ୍ୟରେ ମହାବାତ୍ୟାକୁ ପରିଚାଳନା କରି ପ୍ରାକୃତିକ ବିପର୍ଯ୍ୟୟଠାରୁ ଓଡିଶାବାସୀଙ୍କୁ ବଞ୍ଚାଇବାରେ ସହାୟକ ହୋଇଥିବା କହିଛନ୍ତି ସେ । ଆସନ୍ତୁ ଜାଣିବା ETV Bharatକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ କ'ଣ କହିଛନ୍ତି ।
'ମୁଁ ମୋ ପାଇଁ ପୂଜାର୍ଚ୍ଚନା କରିଥିଲି':
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ କହିଛନ୍ତି,"ମହାବାତ୍ୟା ପରେ ଭୁବନେଶ୍ୱର ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ । ମୁଁ ତାଙ୍କ ଆଗରେ ମହାବାତ୍ୟାକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ଦାବି କରିଥିଲି ,ହେଲେ ସେ ଶୁଣିଲେ ନାହିଁ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସେ ସହାୟତାରେ ହାତ ବଢାଇଥିଲେ ,ହେଲେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ନାହିଁ । ମୁଁ ମହାବାତ୍ୟା ପରଦିନ ପଡୋଶୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ସହ ଫୋନ ଯୋଗେ କଥା ହୋଇଥିଲି । ସେମାନେ ବହୁ ରିଲିଫ ପଠାଇ ସାହାଯ୍ୟର ହାତ ବଢ଼ାଇଥିଲେ ।" ସେପଟେ ମହାବାତ୍ୟା ସମୟରେ ପୂଜାପାଠ ଚର୍ଚ୍ଚା କଥା ମାନିଲେ ଗିରିଧାରୀ । କହିଲେ "ମୁଁ ମୋ ପାଇଁ ପୂଜାର୍ଚ୍ଚନା କରିଥିଲି।"
ଏହା ମଧ୍ୟ ପଢନ୍ତୁ :- ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ...
ଏହା ବି ପଢନ୍ତୁ...ବାତ୍ୟା ବେଳେ ଡ୍ୟୁଟିରେ ଖିଲାପ ପଡିଲା ମହଙ୍ଗା, ରେଭିନ୍ୟୁ ସୁପରଭାଇଜର ନିଲମ୍ବିତ
ମହାବାତ୍ୟା ପରଠୁ କଂଗ୍ରେସ କାହିଁକି କ୍ଷମତାକୁ ଆସିନାହିଁ ?
"୧୯୯୯ ମହାବାତ୍ୟା ପରଠୁ କଂଗ୍ରେସ ଶାସନ କ୍ଷମତାରୁ ଯାଇଛି । ମୁଁ ବିଭିନ୍ନ ସମୟରେ କଂଗ୍ରେସର ପଦ ପଦବୀରେ ରହିଛି । ମୋ ଦାୟିତ୍ୱ ସୁଚାରୁ ରୂପେ ପାଳନ କରିଛି । ଦଳ କାହିଁକି କ୍ଷମତାକୁ ଆସି ପାରୁନି ନାଁ ମୋତେ କେହି ପଚାରିଛନ୍ତି , ନା ମୁଁ କାହାକୁ କହୁଛି । ମୋତେ କେହି ଦଳର ବିପର୍ଯ୍ୟୟ ପାଇଁ ପଚାରି ନାହାଁନ୍ତି ।"
କେତେ ଲୋକ ପ୍ରଭାବିତ ହୋଇଥିଲେ ?
୧୯୯୯ ମହାବାତ୍ୟା ଉପକୂଳ ଓଡିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ନିଜ କରାଳ ରୂପ ଦେଖାଇଥିଲା । 1 କୋଟି 20 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । 10 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ହାନି ହୋଇଥିଲା । ଜୀବଜନ୍ତୁଙ୍କ ମୃତ୍ୟୁ ହିସାବ କହିବା କଷ୍ଟ । ସରକାରୀ ତଥ୍ୟ ଆଧାରରେ 40 ଜଣ ଏପର୍ଯ୍ୟନ୍ତ ନିଖୋଜ ହୋଇଥିବାବେଳେ 25 ଶହ ଲୋକ ଆହତ ହୋଇଥିଲେ।
ଇଟିଭି ଭାରତ, ଭୁବନେଶ୍ବର