ହାଇଦ୍ରାବାଦ: ବିଜ୍ଞାନ ଯେତେ ଆଗେଇ ଚାଲିଛି ମଣିଷ ସମାଜରେ ସେତେ ଆଶ୍ଚର୍ଯ୍ୟ, ଅତ୍ୟାଧୁନିକ ଟେକ୍ନୋଲୋଜି ବିକଶିତ ହେଉଛି । ଏବେ ଚାରିଆଡେ କୃତ୍ରିମ ବୁଦ୍ଧିମତା ବା AIର ଚର୍ଚ୍ଚା । ସେ ଅପବ୍ୟବହାର ହେଉ କି ଉପଯୋଗିତା । ଯେଉଁ କାର୍ଯ୍ୟକୁ ମଣିଷ କରିବାକୁ କିଛି ସମୟ ନେଇଥାଏ, ଏଆଇ ତାହାକୁ ଚୁଟ୍କିରେ କରିପାରୁଛି । ଏବେ ସ୍ମାର୍ଟଫୋନକୁ ଆହୁରି ସ୍ମାର୍ଟ କରିବା ଲାଗି କମ୍ପାନୀଗୁଡ଼ିକ ଏଥିରେ ଏଆଇ ଫିଚର୍ ଯୋଡ଼ିବାରେ ଲାଗିଛନ୍ତି । ଏକ ରିପୋର୍ଟ ଅନୁସାରେ ଆସନ୍ତା 2028 ସୁଦ୍ଧା 73କୋଟି ଏଆଇ ସ୍ମାର୍ଟଫୋନର ସିପମେଣ୍ଟ ହେବାକୁ ଯାଉଛି ।
ମୋବାଇଲରେ ଏଆଇ ଫିଚର ଅନେକ କାର୍ଯ୍ୟରେ ସାହାଯ୍ୟ କରୁଛି । ସେ ଚାଟ୍ କରିବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର କିଛି ସେକେଣ୍ଡରେ ଦେଉଛି । ଫଳରେ ସମ୍ପ୍ରତି ବିଶ୍ବରେ ଏହାର ବିପୁଳ ବ୍ୟବହାର ହେଉଛି । ସମସ୍ତ ସେକ୍ଟରରେ ମଧ୍ୟ ଏହାର ବ୍ୟବହାର ହେଉଛି । ଏଣୁ ସ୍ମାର୍ଟଫୋନ ଜଗତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।
ବଢିବ ଏଆଇ ସ୍ମାର୍ଟଫୋନର ଚାହିଦା:-
କାଉଣ୍ଟରପଏଣ୍ଟର ଆକଳନ ଅନୁସାରେ, ଆଗାମୀ ଦିନରେ ଏଆଇ ସ୍ମାର୍ଟଫୋନର ଲୋକପ୍ରିୟତା ବିପୁଳ ମାତ୍ରାରେ ବୃଦ୍ଧି ପାଇବ । ବର୍ତ୍ତମାନ ଏଆଇ ସ୍ମାର୍ଟଫୋନର ମାର୍କେଟ ସେୟାର 19 ପ୍ରତିଶତ ରହିଛି । 2028 ସୁଦ୍ଧା ଏହା 54 ପ୍ରତିଶତରେ ପହଞ୍ଚିବ । ଅର୍ଥାତ ଆଗାମୀ 4ବର୍ଷ ମଧ୍ୟରେ ଏଆଇ ସ୍ମାର୍ଟଫୋନର ମାର୍କେଟ ସେୟାର 3 ଗୁଣା ବୃଦ୍ଧି ପାଇବ ।