ହାଇଦ୍ରାବାଦ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପୁଣି ଥରେ ସ୍ପେଡେକ୍ସ ଡକିଂକୁ ଘୁଞ୍ଚାଇଛି । ଆଜି ସକାଳ 8ଟାରେ ଏହି ପ୍ରକ୍ରିୟା ମହାକାଶରେ ଆରମ୍ଭ ହୋଇଥାନ୍ତା । ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଇସ୍ରୋ ଘୁଞ୍ଚାଇଛି । ଯୋଜନାବଦ୍ଧ ସାଟେଲାଇଟ୍ ମନିଭର୍ରେ ପରିବର୍ତ୍ତନ ହୋଇଥିବା ଯୋଗୁଁ ଡକିଂ ପ୍ରକ୍ରିୟାକୁ ସଂସ୍ଥା ସ୍ଥଗିତ ରଖିଛି ବୋଲି X ସାଇଟ୍ରେ ପୋଷ୍ଟ କରି ସୂଚନା ଦେଇଛି । ଏହି ପ୍ରକ୍ରିୟା ପ୍ରଥମେ ଜାନୁଆରୀ 7ତାରିଖରେ ହେବାର ଥିଲା । ପରେ ଏହା ଜାନୁଆରୀ 9 ତାରିଖରେ ହେବ ବୋଲି ସଂସ୍ଥା ସୂଚନା ଦେଇଥିଲା ।
ଇସ୍ରୋ SpaDeX ମିଶନ ଜରିଆରେ ଦୁଇଟି ସ୍ପେଶକ୍ରାଫ୍ଟ SDX01 ଓ SDXO2କୁ ମହାକାଶକୁ ଉତକ୍ଷେପଣ କରିଛି । ଡିସେମ୍ବର 30 ତାରିଖ ରାତି ପ୍ରାୟ 10ଟା ବାଜି 15 ସେକେଣ୍ଡରେ ଏହାକୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରକୁ ଲଞ୍ଚ କରାଯାଇଥିଲା । ଏହି ମିଶନ ମାଧ୍ୟମରେ ମହାକାଶରେ ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରିବ ଇସ୍ରୋ । କହି ରଖୁଛୁ କି, 'ଡକିଂ'ର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣକୁ 'ଅନଡକିଂ' କୁହାଯାଏ ।
କାହିଁକି ପୁଣି ଥରେ ଘୁଞ୍ଚିଲା ତାରିଖ ?
ଇସ୍ରୋର କହିବାନୁସାରେ, ଯେତେବେଳେ ପ୍ରଥମ ସାଟେଲାଇଟ୍କୁ ଦ୍ବିତୀୟ ସାଟେଲାଇଟ୍ ନିକଟକୁ ଆଣିବା ଲାଗି ଆଜି ଉଦ୍ୟମ କରାଯାଇଥିଲା । ପ୍ରଥମ ସାଟେଲାଇଟ୍କୁ 500ମିଟର ଦୂରରୁ 225 ମିଟର ଦୂରତ୍ବକୁ ଅଣାଯାଉଥଲା । ମନିଭର୍ ସମୟରେ ସାଟେଲାଇଟ୍ ଆଶା କରାଯାଉଥିବା ସ୍ଥାନରୁ ଅଧିକ ନିକଟକୁ ଚାଲିଆସିଥିଲା । ଏଥିଲାଗି ଏହି ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାୟାଇଛି । ଉଭୟ ସାଟେଲାଇଟ୍ ଏବେ ସୁରକ୍ଷିତ ଅଛି ବୋଲି ଇସ୍ରୋ ସୂଚନା ଦେଇଛି । ତେବେ ଜାନୁଆରୀ 7 ତାରିଖରେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ପ୍ରି-ଲଞ୍ଚିଂ ବେଳେ କିଛି ସମସ୍ୟା ଯୋଗୁଁ ଡକିଂ ପ୍ରକ୍ରିୟାକୁ ଇସ୍ରୋ ସ୍ଥଗିତ ରଖିଥାଇପାରେ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଥିଲେ । ଆଜି ପୁଣି ଡକିଂ ପ୍ରକ୍ରିୟା ସ୍ଥଗିତ ରହିଛି ।