ହାଇଦ୍ରାବାଦ:ଭାରତ ନିଜର ସ୍ପେଶ ପ୍ରୋଗ୍ରାମରେ ଆଉ ଏକ ବିଶେଷ, ଐତିହାସିକ ମୁହୂର୍ତ୍ତ ଯୋଡ଼ିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆସନ୍ତା 29 ଜାନୁଆରୀ ସକାଳ 6:23ରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଣ୍ଟରରୁ 100ତମ ମିଶନ ଲଞ୍ଚ କରିବାକୁ ଯାଉଛି । ଏହି ଲଞ୍ଚରେ GSLV-F15 ରକେଟ୍ର ବ୍ୟବହାର କରି ନାଭିକ ସିଷ୍ଟମ ଲାଗି NVS-02 ସାଟେଲାଇଟ୍କୁ ଲଞ୍ଚ କରିବାକୁ ଯାଉଛି । ଯାହାକି ଶ୍ରୀହରିକୋଟାରୁ 100ତମ ଲଞ୍ଚ ହେବ । ଏହି ଐତିହାସିକ ମୁହୂର୍ତ୍ତ ଲାଗି ଇସ୍ରୋକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
GSLV-F15/NVS-02 ମିଶନ କଣ ?
GSLV-F15 ସହିତ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ (GSLV)ର ଏହା 17ତମ ଉଡାଣ ହେବ । ସେପଟେ ସ୍ବଦେଶୀ କ୍ରାୟୋଜେନିକ୍ ଷ୍ଟେଜର ବ୍ୟବହାର ସହିତ ଏହା 11ତମ ଉଡ଼ାଣ ହେବ । ଏହି ଲଞ୍ଚ ଲାଗି 3.4ମିଟର ବ୍ୟାସଯୁକ୍ତ ମେଟାଲିକ ପେଲୋଡ୍ ଫେୟାରିଂର ବ୍ୟବହାର କରାଯିବ । ଏହି ଲଞ୍ଚ୍ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡ୍ (SLP)ରୁ ହେବ । ଏବେ ନାଭିଗେସନ ଲାଗି ଆମେ ଆମେରିକୀୟ ନାଭିଗେସନ ସିଷ୍ଟମ GPSର ବ୍ୟବହାର କରୁଛି । ଇସ୍ରୋର ଏହି ମିଶନ ସଫଳ ହେଲେ ଏହା ବଦଳରେ ଆମେ ସ୍ବଦେଶୀ ନାଭିଗେସନ ସିଷ୍ଟମ 'ନାଭିକ୍'ର ବ୍ୟବହାର କରିପାରିବାରେ ସକ୍ଷମ ହେବା ।