ହାଇଦ୍ରାବାଦ: ଅକ୍ଟୋବର ଆଣିଲା ଖୁସି । ଭାରତରେ 32 ପ୍ରତିଶତ ବଢିଲା ଗାଡ଼ି ବିକ୍ରି । ବାର୍ଷିକ ଆଧାରରେ ଗତ ମାସ ଗାଡ଼ି ବିକ୍ରି 32 ପ୍ରତିଶତ ଅଧିକ ହୋଇଛି । ସବୁଠୁ ଅଧିକ ଦୁଇ ଚକିଆ ଯାନର ବିକ୍ରି ହୋଇଛି । ଏ ନେଇ ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (FADA) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଅକ୍ଟୋବର ମାସରେ ଏକା ସାଙ୍ଗରେ ନବରାତ୍ରି ଓ ଦିୱାଲି ପଡ଼ିବା ପରେ ବିଭିନ୍ନ କମ୍ପାନୀ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ପୂଜା ଅଫର ଆଣିଥିଲେ । ଯାହାକି କମାଲ କରିଛି । ବିଶେଷ କରି ଗ୍ରାମାଞ୍ଚଳରୁ ଅଧିକ ମୁନାଫା ମିଳିଛି ।
ଅକ୍ଟୋବରରେ ଗାଡ଼ି ବିକ୍ରି ରେକର୍ଡ:-
ଶିଳ୍ପ ସଂଗଠନ FADA ଅନୁସାରେ, ଭାରତରେ ଯାନବାହାନର ଖୁଚୁରା ବିକ୍ରି ବର୍ଷ ତୁଳନାରେ 32 ପ୍ରତିଶତ ବୃଦ୍ଧି ପାଇ ଅକ୍ଟୋବରରେ 28,32,944 ୟୁନିଟରେ ପହଞ୍ଚିଛି । ଦୁଇ ଚକିଆ ଯାନ ଏବଂ ଯାତ୍ରୀବାହୀ ଯାନ ସମେତ ସମସ୍ତ ବିଭାଗରେ ମଜଭୁତ ଅଭିବୃଦ୍ଧି ରେକର୍ଡ କରାଯାଇଛି । ଅକ୍ଟୋବର 2023ରେ ଖୁଚୁରା ବିକ୍ରି 21,43,929 ୟୁନିଟ୍ ଥିଲା । FADAର କହିବାନୁସାରେ, ଚଳିତ ବର୍ଷ ଅକ୍ଟୋବରରେ ଅଧିକ ବିକ୍ରି ହେବାର କାରଣ ଗ୍ରାମୀଣ ଚାହିଦା ।
କେଉଁ ବିଭାଗରେ କେତେ ବିକ୍ରି ?
- ଯାତ୍ରୀବାହୀ ଯାନ (PV)ର ବିକ୍ରିରେ 32.38 ପ୍ରତିଶତ ବୃଦ୍ଧି ପାଇ 4,83,159 ୟୁନିଟରେ ପହଞ୍ଚିଛି । ଗତବର୍ଷ ଏହା 2,75,681 ୟୁନିଟ ରହିଥିଲା ।
- ସେହିପରି ତିନି ଚକିଆ ଯାନ (3W) ଓ ଟ୍ରାକ୍ଟର ସେଲ୍ 11.45% ବୃଦ୍ଧି ପାଇ 1,22,846ରେ ପହଞ୍ଚିଛି । ଯାହାକି 2023 ଅକ୍ଟୋବରରେ 64,433 ୟୁନିଟ୍ ଥିଲା ।
- ସେହିପରି ଦୁଇ ଚକିଆ ଯାନ (TW) ସେଲ୍ ଡିଆଁ ମାରି 36.34 ପ୍ରତିଶତରେ ପହଞ୍ଚିଛି । ଗତବର୍ଷ ଅକ୍ଟୋବରରେ 15,14,632 ୟୁନିଟ୍ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ 20,65,095 ୟୁନିଟ୍ ବିକ୍ରି ହୋଇଛି ।
- ମାଲବାହୀ ଯାନ (CV) କାଟେଗୋରୀ ଉପରେ ନଜର ପକାଇଲେ ଏହା ଗତ ବର୍ଷ ଅକ୍ଟୋବର ତୁଳନାରେ 6.37% ବୃଦ୍ଧି ପାଇଛି । ଗତବର୍ଷ ଅକ୍ଟୋବରରେ 74,324 ୟୁନିଟ୍ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ 97,411 ୟୁନିଟ୍ ବିକ୍ରି ହୋଇଛି ।
ଅଧିକ ଲାଭ ଦେଲା ଗ୍ରାମାଞ୍ଚଳ:-
FADAର ସଭାପତି ବିଘ୍ନେଶ୍ବର ଏ ନେଇ କହିଛନ୍ତି, " ଭାରତରେ ଯାନବାହନର ରେକର୍ଡ ବିକ୍ରି ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଗ୍ରାମାଞ୍ଚଳ ମାର୍କେଟ । ବିଶେଷ କରି ଗ୍ରାମାଞ୍ଚଳରେ ଦୁଇ ଚକିଆ ଓ ଯାତ୍ରାବାହୀ ଯାନର ଅଧିକ ଚାହିଦା ରହିଥିଲା । 2024 ଅକ୍ଟୋବରରେ ହିନ୍ଦୁ ପର୍ବପର୍ବାଣିର ଦୁଇଟି ପ୍ରମୁଖ ପର୍ବ ନବରାତ୍ରି (ଦଶହରା) ଓ ଦୀପାବଳି ପଡ଼ିଥିବାରୁ ସେଲ୍ ଅଧିକ ହୋଇଛି । ବିଭିନ୍ନ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଡିସକାଉଣ୍ଟ ପ୍ରଦାନ କରାଯାଇଥିଲା । ଯାହାକି ଗ୍ରାହକଙ୍କୁ ବେଶ ପ୍ରଭାବିତ କରିଛି । ପୂରା ବର୍ଷ ତୁଳନାରେ ଏହି ପୂଜା ମାର୍କେଟରେ ବାର୍ଷିକ ସେଲ୍ର 30-35% ବିକ୍ରି ହୋଇଥାଏ । ଏଣୁ କମ୍ପାନୀଗୁଡ଼ିକ ପୂଜା ବଜାରକୁ ଅଧିକ ଫୋକସ୍ କରିଥାନ୍ତି । ତେବେ ଏଥର ଅକ୍ଟୋବର ନିରାଶ କରିନାହିଁ ।"
ଆଗକୁ ବିବାହ ଋତୁ ଆସୁଥିବାରୁ ଯାତ୍ରୀବାହୀ ଯାନ ଓ ଅନ୍ୟାନ୍ୟ ଯାନ ବିକ୍ରି କିପରି ଅଧିକ ହେବ ସେ ନେଇ ମଧ୍ୟ କମ୍ପାନୀଗୁଡ଼ିକ ଉଦ୍ୟମ କରୁଛନ୍ତି । ଏଥିଲାଗି ନୂଆ ମଡେଲ୍ ଓ ଆକର୍ଷଣୀୟ ଅଫର ଉପରେ କାମ କରୁଛନ୍ତି ବିଭିନ୍ନ କମ୍ପାନୀ ।