ଟୋରୋଣ୍ଟୋ (କାନାଡା):ବୟସ ବଢିବା ସାଙ୍ଗକୁ ନାନା ପ୍ରକାରର ରୋଗ ମାଡ଼ି ବସିଥାଏ । କାରଣ ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ବୃଦ୍ଧାବସ୍ଥାରେ ଦୁର୍ବଳ ହୋଇପଡ଼େ । କିନ୍ତୁ ଆମ ଶରୀରରେ ଏପରି ଏକ ପ୍ରୋଟିନ ରହିଛି ଯାହାକି ବାର୍ଦ୍ଧକ୍ୟ ଜନିତ ରୋଗରୁ ଶରୀରକୁ ରକ୍ଷା କରିପାରିବ । ଏହି ପ୍ରୋଟିନର ନାମ ହେଉଛି 'MANF' । ଏ ସମ୍ପର୍କରେ ମୂଳ ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ବାଧୀନ ଏକ ଗବେଷକ ଟିମ ସୂଚନା ଦେଇଛନ୍ତି ।
ମ୍ୟାକମାଷ୍ଟର ବିଶ୍ବବିଦ୍ୟାଳୟର ଗବେଷକଙ୍କ କହିବାନୁସାରେ ପ୍ରୋଟିନ୍ MANF ମଣିଷ କୋଷଗୁଡ଼ିକରେ ଥିବା କ୍ଷତିକାରକ ପ୍ରୋଟିନ୍ କ୍ଲମ୍ପକୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ, ଯାହାକି ବାର୍ଦ୍ଧକ୍ୟ ଜନିତ ରୋଗର ଚିକିତ୍ସା ପାଇଁ ସହାୟକ । ଏହି ଗବେଷଣା ସମ୍ପର୍କରେ ପତ୍ରିକା 'ପ୍ରୋସିଡିଂ ଅଫ ଦି ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସେସ'ରେ ପ୍ରକାଶ କରାଯାଇଛି । ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ କୋଷଗୁଡ଼ିକ ଭୁଲ ପ୍ରକ୍ରିୟାରେ ପ୍ରୋଟିନ ସୃଷ୍ଟି କରିଥାଏ । ଫଳରେ କ୍ଲିନଅପ ପ୍ରକ୍ରିୟା ମଧ୍ୟ ଭୁଲ ଭାବେ ହୁଏ । ଏହାପରେ ପ୍ରୋଟିନଗୁଡ଼ିକ ପରସ୍ପର ସହିତ ଏକାଠି ହୋଇ ଏକ ଜମାଟ ବାନ୍ଧିଥାନ୍ତି । ଫଳରେ ବାର୍ଦ୍ଧକ୍ୟ ଜନିତ ରୋଗ ଶରୀରରେ ଦେଖାଯାଏ ।
କଣ କୁହନ୍ତି ଭାରତୀୟ ବୈଜ୍ଞାନିକ ?
ଏ ନେଇ ମୂଳ ଭାରତୀୟ ବୈଜ୍ଞାନିକ ପ୍ରଫେସର ଭଗବତୀ ଗୁପ୍ତା କହିଛନ୍ତି, "ଏହି ପ୍ରୋଟିନ୍ ଏକୀକରଣ ଆରମ୍ଭ ହେବା ପରେ ମଣିଷ ଶରୀରର କୋଷଗୁଡ଼ିକ ଚାପ ଅନୁଭବ କରନ୍ତି । ଏଣ୍ଡୋପ୍ଲାଜାମିକ୍ ରେଟିକୁଲମ୍, ଯେଉଁଠାରେ ପ୍ରୋଟିନ୍ ତିଆରି ହୁଏ ଏବଂ ପରେ ମୁକ୍ତ ହୁଏ, ଏହି ପ୍ରୋଟିନ୍ ତିଆରି ବନ୍ଦ କରିବା ପାଇଁ ସଙ୍କେତ ପାଇଥାଏ ।"
MANF ପ୍ରୋଟିନର ଭୂମିକା:-
- ଗବେଷକ ଟିମ ଜାଣିବାକୁ ପାଇଛି ଯେ MANF ନାମରେ ଜଣାଶୁଣା ପ୍ରତିରକ୍ଷା ପ୍ରୋଟିନର ଏକ ଶ୍ରେଣୀ ଏହି ପ୍ରକ୍ରିୟାରେ ଏକ ଭୂମିକା ଗ୍ରହଣ କରିଥାଏ ଯାହା କୋଷଗୁଡ଼ିକୁ କାର୍ଯ୍ୟକ୍ଷମ ଏବଂ ଭଲ କାମ କରାଇଥାଏ ।
- ପୂର୍ବ ଅଧ୍ୟୟନରୁ ଜଣାପଡିଛି ଯେ MANF ସେଲୁଲାର୍ ଚାପରୁ ରକ୍ଷା କରିଥାଏ ।
- C. elegans ନାମକ ୱର୍ମ ବା ପୋକକୁ ନେଇ ଅଧ୍ୟଯନ ସମୟରେ MANF ପ୍ରୋଟିନର ଭୂମିକା ସମ୍ପର୍କରେ ଜାଣିବାକୁ ପାଇଥିଲେ ।
- ଟିମ ଜାଣିବାକୁ ପାଇଥିଲା ଯେ ଏହି MANF ପ୍ରୋଟିନ ଶରୀରରେ ଜମାଟ ବାନ୍ଧିଥିବା ପ୍ରୋଟିନକୁ ଭାଙ୍ଗିବାରେ ସାହାଯ୍ୟ କରେ ।
- ଏତଦ ବ୍ୟତୀତ କୋଷ ଭିତରେ ସଫେଇ ପ୍ରକ୍ରିୟାକୁ ସୁଚାରୁରୂପେ କରିବାକୁ ସୁନିଶ୍ଚିତ କରିବା ଦ୍ବାରା ଆମ ଶରୀର ଅଧିକ ଭଲ ଭାବେ କାର୍ଯ୍ୟ କରିଥାଏ ।
- ପୋକଙ୍କ ସହ ମଣିଷ ଶରୀର ମଧ୍ୟରେ MANF ପ୍ରୋଟିନ ରହିଥିବାରୁ ଏହା ସମାନ କାମ କରିବାକୁ ସକ୍ଷମ ବୋଲି ବ୍ରିଟିଶ କଲୋମ୍ବିଆ ୟୁନିଭର୍ସିଟିର ଗବେଷକ ଶେନ ଟେଲର୍ କହିଛନ୍ତି ।