ଓଡିଶା

odisha

ETV Bharat / technology

ସ୍ପେଶୱାକ୍‌ରେ ସୁନୀତା ୱିଲିୟମ୍ସ; 7ମାସ ପରେ ବାହାରେ ରଖିଲେ ପାଦ - SUNITA WILLIAMS HISTORIC SPACEWALK

ଦୀର୍ଘ 7ମାସ ପରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ବାହାରେ ପାଦ ରଖିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଏହାସହ ଅଷ୍ଟମ ସ୍ପେଶୱାକ୍‌ କରି ରେକର୍ଡ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ

India Origin Sunita Williams steps out on spacewalk
India Origin Sunita Williams steps out on spacewalk (Photo Credit- NASA)

By ETV Bharat Tech Team

Published : Jan 18, 2025, 9:47 AM IST

ହାଇଦ୍ରାବାଦ: ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ନାଁରେ ଆଉ ଏକ ରେକର୍ଡ । ମହାକାଶରେ 8ଥର ସ୍ପେଶୱାକ୍‌ କରି ସୁନୀତା ଏହି ବିରଳ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି । ତେବେ ଦୀର୍ଘ 7 ମାସ ପରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରୁ ବାହାରି ସ୍ପେଶୱାକ୍‌ କରିଛନ୍ତି ସୁନୀତା । ସୁନୀତା ଓ ନାସାର ଅନ୍ୟ ଜଣେ ମହାକାଶଚାରୀ ନିକ୍‌ ହଗ୍‌ଙ୍କ ସହିତ ମହାକାଶରେ ଚାଲିଥିବା ଜଣାପଡ଼ିଛି ।

ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ (Photo Credit- NASA)

କାହିଁକି ବାହାରକୁ ବାହାରିଲେ ସୁନୀତା ?

ଗତ ବର୍ଷ ଜୁନ ମାସରେ ମହାକାଶକୁ ଯାଇଥିଲେ ସୁନୀତା । 8ଦିନ ପାଇଁ ଯାଇ ସେ 7ମାସରୁ ଅଧିକ ସମୟ ଧରି ସେଠାରେ ଫସି ରହିଛନ୍ତି । ପ୍ରାୟ 7 ମାସ ପରେ ସେ ସ୍ପେଶ ଷ୍ଟେସନରୁ ବାହାରିଛନ୍ତି । ନାସାର ସୂଚନା ଅନୁସାରେ ସ୍ପେଶ ଷ୍ଟେସନରେ କିଛି ଜରୁରୀ ମରାମତି କରିବା ଲାଗି ସେ ସ୍ପେଶ ଷ୍ଟେସନରୁ ବାହାରିଛନ୍ତି ।

ସୁନୀତାଙ୍କ ଅଷ୍ଟମ ସ୍ପେଶୱାକ୍‌

ଗତବର୍ଷ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ନାସା ମହାକାଶଚାରୀଙ୍କ ସ୍ପେଶୱାକ୍‌କୁ ରୋକାଯିବା ପରେ ଏହା କୌଣସି ମହାକାଶଚାରୀଙ୍କ ପ୍ରଥମ ସ୍ପେଶୱାକ୍‌ ଥିଲା । ମହାକାଶ ଯାତ୍ରୀଙ୍କ ସୁଟ୍‌ର କୁଲିଂ ଲୁପ୍‌ରୁ ପାଣି ଲିକ୍‌ ହୋଇ ଏୟାରଲକ୍‌ (ଯେଉଁ ପଟେ ମହାକାଶଚାରୀମାନେ ବାହାରକୁ ବାହାରିଥାନ୍ତି)କୁ ଆସିଯାଇଥିବାରୁ ସ୍ପେଶୱାକ୍‌କୁ ରୋକାଯାଇଥିଲା । ଏବେ ନାସା ସେହି ସମସ୍ୟାର ସମାଧାନ କରିଛି । ଏହା ସୁନୀତା ୱିଲିୟମ୍ସଙ୍କ ଲାଗି 8 ନମ୍ବର ସ୍ପେଶୱାକ୍‌ ଥିବା ବେଳେ ସେ ଏହା ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିଛନ୍ତି ଓ 7ଥର ସ୍ପେଶୱାକ୍‌ କରିସାରିଛନ୍ତି ।

ଏପ୍ରିଲରେ ପୃଥିବୀକୁ ଫେରିବେ

ସୁନୀତା ଓ ସହଯୋଗୀ ୱିଲମୋର ଗତବର୍ଷ ଜୁନରେ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ୍‌ରେ ମହାକାଶକୁ ଯାତ୍ରା କରିଥିଲେ । ଏହା ମାତ୍ର ଗୋଟିଏ ସପ୍ତାହର ପରୀକ୍ଷା ଥିଲା । କିନ୍ତୁ ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ପୃଥିବୀ ଫେରିପାରିନଥିଲେ । ଏହାପରେ ନାସା କ୍ୟାପସୁଲ୍‌କୁ ଖାଲି କରି ଏହାକୁ ପୃଥିବୀ ପଠାଇବାକୁ କହିଥିଲା । ଏହାପରେ ସୁନୀତା ଓ ସହଯୋଗୀ ୱିଲମୋର, ସ୍ପେଶଏକ୍ସ ମହାକାଶ ଯାନରେ ଫେରିବାର ଥିଲା । କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରୁ ଘରକୁ ଫେରିପାରନ୍ତି । ଅର୍ଥାତ ମିଶନ ଆରମ୍ଭର ପ୍ରାୟ 10 ମାସ ପରେ ସେମାନେ ଘରକୁ ଫେରିବେ ।

ମହାକାଶଚାରୀ ତଥା ଫ୍ଲାଇଟ ଇଞ୍ଜିନିୟର ନିକ୍ ହଗ୍‌ ଓ ମହାକାଶଚାରୀ ସୁନୀତା ୱିଲିୟମ୍ସ (Photo Credit- NASA)

ସୁନୀତାଙ୍କ ନାଁରେ 50ଘଣ୍ଟାରୁ ଅଧିକ ସମୟର ସ୍ପେଶୱାକ୍‌

ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସୁନୀତା ଅଷ୍ଟମ ଥର ଲାଗି ପ୍ରାୟ 6ରୁ 7 ଘଣ୍ଟା ଧରି ସ୍ପେଶୱାକ୍‌ କରିଛନ୍ତି । ଏହା ପୂର୍ବରୁ 7ଟି ସ୍ପେଶୱାକ୍‌ରେ ସେ 50 ଘଣ୍ଟା 40 ମିନିଟ ମହାକାଶରେ ଚାଲିଛନ୍ତି । ସୁନୀତାଙ୍କ ସହ ସ୍ପେଶୱାକ୍‌ରେ ଯାଇଥିବା ମହାକାଶଚାରୀ ତଥା ଫ୍ଲାଇଟ ଇଞ୍ଜିନିୟର ନିକ୍ ହଗ୍‌ ଚତୁର୍ଥ ଥର ଲାଗି ସ୍ପେଶୱାକ୍‌ କରିଛନ୍ତି । ଏହା ପୂର୍ବରୁ ସେ 3ଥର ସ୍ପେଶୱାକ୍‌ରେ ପ୍ରାୟ 19 ଘଣ୍ଟା 56 ମିନିଟ ପର୍ଯ୍ୟନ୍ତ ମହାକାଶରେ ଚାଲିଛନ୍ତି । ଏହାବ୍ୟତୀତ ସ୍ପେଶ ଷ୍ଟେସନ ଆସେମ୍ବଲି ରିପୋର୍ଟ ଅନୁସାରେ, ମରାମତି ଓ ଅପଗ୍ରେଡ ପାଇଁ ଏହା 273 ନମ୍ବର ସ୍ପେଶୱାକ୍‌ ଥିଲା । ସେହିପରି ଆମେରିକା ଲାଗି ଏହା 91 ନମ୍ବର ସ୍ପେଶୱାକ୍‌ ଥିଲା । ବର୍ଷ 2025ରେ କୌଣସି ମହାକାଶଚାରୀଙ୍କ ଦ୍ବାରା ଏହା ପ୍ରଥମ ସ୍ପେଶୱାକ୍‌ ।

ଜାନୁଆରୀ 23ରେ ଆଉ ଏକ ସ୍ପେଶୱାକ୍‌

ମହାକାଶଚାରୀ ୱିଲିୟମ୍ସ 23 ଜାନୁଆରୀରେ ସହଯୋଗୀ ୱିଲମୋରଙ୍କ ସହ ଦ୍ବିତୀୟ ସ୍ପେଶୱାକ୍‌ କରିବାକୁ ଯାଉଛନ୍ତି । ମିଳିତ ଭାବରେ ସେମାନେ ଏକ ରେଡିଓ ଫ୍ରିକ୍ବେନ୍ସି ଗ୍ରୁପ୍ ଆଣ୍ଟିନା ଆସେମ୍ବଲି (ରେଡିଓ ତରଙ୍ଗ ବିସ୍ତାର ଏବଂ ଗ୍ରହଣ କରିବା ପାଇଁ ଡିଜାଇନ ହୋଇଥିବା ଉପାଦାନଗୁଡ଼ିକର ସଂଗ୍ରହ) ଏବଂ ମାଇକ୍ରୋ ଅର୍ଗାନିଜମର ଗବେଷଣା ପାଇଁ କିଛି ନମୁନା ସଂଗ୍ରହ କରିବେ ।

ଏହା ବି ପଢନ୍ତୁ
  1. 90ମିନିଟ ବ୍ୟବଧାନରେ 16ଥର ସୂର୍ଯ୍ୟୋଦୟ; ଏମିତି ନୂଆବର୍ଷକୁ ସ୍ବାଗତ କଲେ ମହାକାଶଚାରୀ ସୁନୀତା
  2. ମହାକାଶରେ ଖ୍ରୀଷ୍ଟମାସ ପାଳିଲେ ସୁନୀତା ୱିଲିୟମ୍ସ; ପୃଥିବୀରୁ ଯାଉଛି ତାଜା ଘର ଖାଦ୍ୟ
  3. ପୁଣି ଘୁଞ୍ଚିଲା ତାରିଖ; ଫେବୃଆରୀରେ ନୁହେଁ ମାର୍ଚ୍ଚରେ ଫେରିବେ ମହାକାଶଚାରୀ ସୁନୀତା

ABOUT THE AUTHOR

...view details