ହାଇଦ୍ରାବାଦ:ସେଲ୍ଫୋନଠାରୁ ଟିଭି, ବିମାନ ଓ ସାଟେଲାଇଟ ସବୁଥିରେ ବ୍ୟବହାର ହେଉଛି ଚିପ୍ । ଏଥିଲାଗି ଭାରତ ସରକାର ମାଇକ୍ରୋଚିପ୍ ଆମଦାନୀ ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ଗତ ଆର୍ଥିକ ବର୍ଷରେ ଚିପ୍ ଆମଦାନୀ ଲାଗି ସରକାର 1,29,703 କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏବେ ଏହି କ୍ଷେତ୍ରରେ ସରକାରଙ୍କୁ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଭାରତର ଚିପ୍ ସିଟି ହେବାକୁ ଯାଉଛି ନିଜାମ ସହର ହାଇଦ୍ରାବାଦ । ସହରରେ ଅବସ୍ଥିତ ଓସମାନିଆ ବିଶ୍ବବିଦ୍ୟାଳୟ ଏହି ସମସ୍ୟାର ସମାଧାନ କରି ଚିପ୍ ପ୍ରସ୍ତୁତ କରିବାକୁ ଯାଉଛି । ଫଳରେ ଆଗାମୀ କିଛି ବର୍ଷ ମଧ୍ୟରେ ହାଇଦ୍ରାବାଦ 'ଚିପ୍ ସିଟି'ରେ ପରିଣତ ହେବ ।
ବିଶ୍ବବିଦ୍ୟାଳୟର କଲେଜ ଅଫ୍ ଇଞ୍ଜିନିୟରିଂର ପ୍ରିନ୍ସିପାଲ ପ୍ରଫେସର ଚନ୍ଦ୍ରଶେଖରଙ୍କ ନିର୍ଦ୍ଦେଶରେ ଭର୍ସିଟି ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରମାନେ ଏକ ଫ୍ରିକ୍ବେନ୍ସି ସିନ୍ଥେସାଇଜର ତିଆରି ପ୍ରକ୍ରିୟାରେ ଅଛନ୍ତି, ଯାହା ସମ୍ଭବତଃ ଦୁଇ ମିଲିମିଟର ଆକାରରେ ନିର୍ମିତ ହେବ ଏବଂ ଏକ ଗିଗାହର୍ଜ୍ କ୍ଷମତାରେ କାର୍ଯ୍ୟ କରିବ । ଏଥିଲାଗି କେନ୍ଦ୍ର ସରକାର 5କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜି ହୋଇଛନ୍ତି ।
ବିଶ୍ବବିଦ୍ୟାଳୟର ପ୍ରଫେସର ଚନ୍ଦ୍ରଶେଖରଙ୍କ କହିବାନୁସାରେ ଏହି ଇଲେକ୍ଟ୍ରୋନିକ ଉତ୍ପାଦର ମାର୍କେଟିଂ ପାଇଁ ବିଶ୍ବବିଦ୍ୟାଳୟ 3ଟି ଅଗ୍ରଣୀ କମ୍ପାନୀ ସହିତ ହାତ ମିଳାଇଛି । ଚିପ୍ ନିର୍ମାଣ କ୍ଷେତ୍ରରେ ଅଗଷ୍ଟ ସୁଦ୍ଧା 90 ପ୍ରତିଶତ ଗବେଷଣା ଶେଷ ହୋଇଛି ବୋଲି ପ୍ରଫେସର ଚନ୍ଦ୍ରଶେଖର କହିଛନ୍ତି । ଅନ୍ୟପଟେ 1ମିମି ମାଇକ୍ରୋଚିପ୍ କେବଳ ତାଇୱାନରେ ତିଆରି କରାଯାଏ । ଏଥିଲାଗି ଅନେକ ଦେଶ ତାଇୱାନ ଉପରେ ନିର୍ଭରଶୀଳ । 3-5 ମିଲିମିଟର ଆକାରର ମାଇକ୍ରୋଚିପ୍ ଅନ୍ୟ ଦେଶଗୁଡ଼ିକର ତିଆରି କରାଯାଏ, ଯେଉଁଥିରେ ଭାରତ ମଧ୍ୟ ସାମିଲ ।