ଓଡିଶା

odisha

ETV Bharat / technology

ମହାକାଶ ବିଜ୍ଞାନରେ କ୍ୟାରିୟର: କ’ଣ ରହିଛି ସୁଯୋଗ ଓ ସମ୍ଭାବନା, ମୁନମ୍ୟାନ ଆନ୍ନାଦୁରାଇଙ୍କ ସହ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର

Moon Man' Mylswamy Annadurai exclusive interview with ETV BHARAT: ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ହେବାକୁ ଯାଉଛି ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ । ମହାକାଶ ବିଜ୍ଞାନରେ କିପରି କ୍ୟାରିୟର କରିବେ ଛାତ୍ରଛାତ୍ରୀ । କ’ଣ ରହିଛି ସମ୍ଭାବନା ଓ ସୁଯୋଗ,ସେନେଇ ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ଭାରତର ମୁନମ୍ୟାନ ଡ. ମିଲାସ୍ୱାମୀ ଆାନ୍ନାଦୁରାଇଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ

ମହାକାଶ ବିଜ୍ଞାନରେ କ୍ୟାରିୟର: କଣ ରହିଛି ସମ୍ଭାବନା, ଶୁଣନ୍ତୁ ମୁନମ୍ୟାନ ଆାନ୍ନାଦୁରାଇଙ୍କ ମୁହଁରୁ
ମହାକାଶ ବିଜ୍ଞାନରେ କ୍ୟାରିୟର: କଣ ରହିଛି ସମ୍ଭାବନା, ଶୁଣନ୍ତୁ ମୁନମ୍ୟାନ ଆାନ୍ନାଦୁରାଇଙ୍କ ମୁହଁରୁ

By ETV Bharat Odisha Team

Published : Feb 26, 2024, 9:01 AM IST

ଚେନ୍ନାଇ: ମହାକାଶ ଗବେଷଣା କ୍ଷେତ୍ର ଏକ ବ୍ୟବସାୟିକ କ୍ଷେତ୍ର ଭାବରେ ଚଳିତ ଶତାବ୍ଦୀର ଆରମ୍ଭ ପୂର୍ବରୁ ପ୍ରାୟତଃ ଜଣାଶୁଣା ନଥିଲା । ଗୋଟିଏ ପଟେ ନକ୍ଷେତ୍ର, ଗ୍ରହ ଓ ଉପଗ୍ରହ ପରି ଶବ୍ଦ କିମ୍ବା ଏହାର ଭୂମିକା କେବଳ ‘ଇସ୍ରୋ’ ଏବଂ ‘ନାସା’ ପରି ମହାକାଶ ଗବେଷଣା ସଂସ୍ଥାଗୁଡିକ ପାଇଁ ମହତ୍ବ ରଖୁଥିଲା । କିମ୍ବା ଜୋତିଷ ଶାସ୍ତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ଏହା ବ୍ୟାପାର କ୍ଷେତ୍ର ଭାବେ ବିଚାର କରାଯାଉଥିଲା । ମାତ୍ର ଗତ କିଛି ଦଶନ୍ଧି ମଧ୍ୟରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିଛି । ସାମ୍ପ୍ରତିକ ସମୟରେ, ମହାକାଶ ବିଜ୍ଞାନରେ ସଫଳତା ଏବଂ ଘରୋଇ ଗବେଷଣା କମ୍ପାନୀର ପ୍ରବେଶ ଏହି କ୍ଷେତ୍ରକୁ ଭିନ୍ନ ରୂପ ଦେଇଛି ।

ନିକଟରେ ବିଭିନ୍ନ ସଫଳତା ପରେ ଭାରତରେ ମହାକାଶ ଗବେଷଣାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସରକାର 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ)କୁ ଅନୁମତି ଦେଇଛନ୍ତି । ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ବିଦେଶୀ କମ୍ପାନୀର ଭାଗିଦାରୀ ଓ ପୁଞ୍ଜି ନିବେଶ ପ୍ରବେଶ ପଥକୁ ଉଦାରୀକରଣ କରିବା ସହ ସମ୍ଭାବ୍ୟ ନିବେଶକମାନଙ୍କୁ ମହାକାଶରେ ଭାରତୀୟ କମ୍ପାନୀରେ ବିନିଯୋଗ କରିବାକୁ ଅନୁମତି ସରକାର ଯୋଜନା ଆରମ୍ଭ କରିଛନ୍ତି ।

‘ଇସ୍ରୋ’ ପୂର୍ବତନ ନିର୍ଦ୍ଦେଶକ ତଥା ଭାରତର ‘ମୁନମ୍ୟାନ୍’ ଭାବେ ଜଣାଶୁଣା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡ. ମିଲାସ୍ୱାମୀ ଅନ୍ନଦୁରାଇଙ୍କ ସହ ଏସମ୍ପର୍କରେ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ‘ଇଟିଭି ଭରତ’ ପ୍ରତିନିଧି ଶଙ୍କର ନାରାୟଣ ସୁଦାଲାଇ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ପରେ ବର୍ତ୍ତମାନ ସମୟରେ ମହାକାଶ କ୍ଷେତ୍ର କିପରି ଏକ ପ୍ରଭାବୀ କ୍ୟାରିୟର ବିକଳ୍ପ ଭାବେ ସାମ୍ନାକୁ ଆସିଛି, ସେ ନେଇ କ’ଣ କୁହନ୍ତି ‘ମୁନମ୍ୟାନ’ ମିଲାସ୍ୱାମୀ ଅନ୍ନଦୁରାଇ ଶୁଣନ୍ତୁ ।

ପ୍ରଶ୍ନ: 100 ପ୍ରତିଶତ ବିଦେଶୀ ନିବେଶକୁ ଅନୁମତି ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ କିପରି ପରିବର୍ତ୍ତନ ଆଣିପାରିବା ନେଇ ଆପଣ ଭାବୁଛନ୍ତି ?

ଡ. ଆନ୍ନଦୁରାଇ: ଯଦି କୌଣସି କ୍ଷେତ୍ର ଅଛି, ଯାହା ବିଶ୍ୱ କୋଭିଡ ମହାମାରୀ ସମୟରେ ମଧ୍ୟ ଅଗ୍ରଗତି କରିଛି, ଏହା ହେଉଛି ମହାକାଶ ଗବେଷଣା କ୍ଷେତ୍ର । ମହାମାରୀର ତିନିବର୍ଷ ମଧ୍ୟରେ ବିଗତ 65 ବର୍ଷ ମଧ୍ୟରେ ଉତକ୍ଷେପଣ ହୋଇଥିବା ଉପଗ୍ରହ ସଂଖ୍ୟା ତୂଳନାରେ 40 ପ୍ରତିଶତରୁ ଅଧିକ ଉପଗ୍ରହ ଉତକ୍ଷେପଣ କରାଯାଇଛି । ମୁଖ୍ୟତଃ 90 ପ୍ରତିଶତରୁ ଅଧିକ ଉପଗ୍ରହ ବିଭିନ୍ନ ଘରୋଇ ସ୍ପେସ କମ୍ପାନୀ ଦ୍ବାରା ଉତକ୍ଷେପଣ ହୋଇଛନ୍ତି । ଏଲନ୍ ମସ୍କଙ୍କ ‘ସ୍ପେସ ଏକ୍ସ’ ଓ ‘ୱାନ-ୱେବ’ ପରି ଘରୋଇ ସ୍ପେସ୍ କମ୍ପାନୀ ଏହି କ୍ଷେତ୍ରରେ ବହୁ ଆଗରେ ରହିଛନ୍ତି । ଯଦି ଭାରତର କଥା ବିଚାରକୁ ନେବା, ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ ମଧ୍ୟ ଭାରତ ମହାକାଶ କ୍ଷେତ୍ରରେ ଅନେକ ପ୍ରଗତିଶୀଳ ଗବେଷଣା ଜାରି ରହିଛି । ଆମେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମହାକାଶଯାନ ପଠାଇଛୁ । ଆମେ ଆବଶ୍ୟକ କରୁଥିବା ଅନେକ ଉପଗ୍ରହ ନିର୍ମାଣ କରିସାରିଛୁ । ମୁଁ ବିଶ୍ୱାସ କରେ ଯେ ବିଦେଶୀ ପୁଞ୍ଜି ବିନିଯୋଗ ଏହି ମହାକାଶ ଗବେଷଣା କ୍ଷେତ୍ରକୁ ବ୍ୟବସାୟିକ ଭାବରେ ବଳ ଦେବ ।

ବିଦେଶୀ ପୁଞ୍ଜି ବିନିଯୋଗ ସୁଯୋଗ ଆସିଲେ, ଉନ୍ନତ ପ୍ରଦର୍ଶନ ପାଇଁ ଅବସର ମଧ୍ୟ ସୃଷ୍ଟି ହେବ । ବୈଷୟିକ ଭାବେ ଭାରତୀୟମାନେ ଏଥିରେ ପ୍ରତ୍ୟେକ୍ଷ ଅଂଶଗ୍ରହଣ କରିପାରିବେ । ବ୍ୟବସାୟରେ ଉନ୍ନତି ହେବ । ତାମିଲନାଡୁର କୁଲାସେକରନ ପାଟିନମରେ ଏକ ଲଞ୍ଚପ୍ୟାଡ ନିର୍ମାଣ କରାଯିବ । ମୁଁ ନିଶ୍ଚିତ ଯେ ବାଣିଜ୍ୟିକ ବିନିଯୋଗ ଭାରତୀୟମାନଙ୍କୁ ମହାକାଶ ଗବେଷଣାରେ ପରବର୍ତ୍ତୀ ସ୍ତରକୁ ନେବାରେ ସାହାଯ୍ୟ କରିବ ।

ପ୍ରଶ୍ନ: ମହାକାଶ ଗବେଷଣା କେବଳ ବିଜ୍ଞାନରେ ସୀମିତ ନୁହେଁ । ମିଲିଟାରୀ ଗାଇଡାନ୍ସ ପାଇଁ ବ୍ୟବହୃତ ଉପଗ୍ରହ ସମ୍ପର୍କରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଜଡିତ ଅଛି । ଆପଣ ଭାବୁଛନ୍ତି ସରକାରୀ ହସ୍ତକ୍ଷେପ ବିନା ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦେବା ସମ୍ଭବ କି ?

ଡ.ଆନ୍ନାଦୁରାଇ: ଏହା ନିଶ୍ଚିତ ଭାବେ ଏକ ଆହ୍ବାନ । ଏହା ପ୍ରାୟ ମୋବାଇଲ୍ ଫୋନ ପରି, ଯାହା ଉଭୟ ସୁରକ୍ଷା ଓ ବ୍ୟକ୍ତିଗତ ବ୍ୟବହାର ପାଇଁ ଉପଯୋଗୀ । ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ହସ୍ତକ୍ଷେପର ନିଶ୍ଚିତ ଆବଶ୍ୟକତା ରହିଛି । ଯେତେବେଳେ ଉତ୍ପାଦନ ଆବଶ୍ୟକତା ଥାଏ, ସେତେବେଳେ ନୂତନ ରଣନୀତି ଏବଂ କୌଶଳ ମଧ୍ୟ ବିକଶିତ କରିବାକୁ ପଡ଼ିବ । ମୋବାଇଲ୍ ଫୋନ ଓ ବିମାନ ଯାତ୍ରା ପରି ନିୟନ୍ତ୍ରିତ ଗାଇଡଲାଇନ ମଧ୍ୟ ସରକାର ଜାରି କରିବେ । ବର୍ତ୍ତମାନ ଯୁଗରେ ସମସ୍ତ ପୁଞ୍ଜି ବିନିଯୋଗ ଓ ବିକାଶ କେବଳ ସରକାର ନିୟନ୍ତ୍ରଣାଧୀନ ହୋଇପାରିବନାହିଁ । ଏଥିରେ ଘରୋଇ କ୍ଷେତ୍ରର ଅବଦାନ ମଧ୍ୟ ଆବଶ୍ୟକ ।

ପ୍ରଶ୍ନ: ଯେତେବେଳେ ଏହି କ୍ଷେତ୍ର ନିବେଶ ସହ ନୂତନ କ୍ୟାରିୟର ସୁଯୋଗ ପ୍ରଦାନ କରୁଛି, ଛାତ୍ରଛାତ୍ରୀ ଏହି କ୍ଷେତ୍ରକୁ କିପରି ପ୍ରବେଶ କରିବେ ? ଏଥିରେ କ୍ୟାରିୟର କରିବାକୁ ସେମାନେ କ’ଣ ଅଧ୍ୟୟନ କରିବା ଉଚିତ୍ ?

ଆନ୍ନାଦୁରାଇ: ବି-ଟେକ୍ ମେକାନିକାଲ, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ ପ୍ରୋଗ୍ରାମ ପାଇଁ ଏହି କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ସୃଷ୍ଟି ହେବ । ପୋଷ୍ଟ ଗ୍ରାଜୁଏସନରେ ଏରୋନଟିକାଲ୍, ଏରୋସ୍ପେସ୍ ଭଳି ପାଠ୍ୟକ୍ରମ ଚୟନ କରାଯାଇପାରିବ । ISRO ଦ୍ବାରା ପରିଚାଳିତ ଥିରୁଅନନ୍ତପୁରମରେ ଥିବା ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ରେ ଅଧ୍ୟୟନ କରିବାର ସୁଯୋଗ ପାଇଲେ ଏହି କ୍ଷେତ୍ରରେ ଉଜ୍ଜଳ ଭବିଷ୍ୟତର ସମ୍ଭାବନା ନିଶ୍ଚିତ ରହିଛି । ପାଠ୍ୟକ୍ରମ ଶେଷ କରିବା ପରେ ସରକାରୀ କିମ୍ବା ବେସରକାରୀ ସ୍ପେସ୍ କ୍ଷେତ୍ରରେ କର୍ମନିଯୁକ୍ତିର ସମ୍ଭାବନା ରହିଛି । ଏଥିରେ ସେମାନେ ଭଲ ପ୍ରଦର୍ଶନ କଲେ ‘ନାସା ଏକାଡେମୀ’ରେ ଅଧ୍ୟୟନ କରିବାର ସୁଯୋଗ ପାଇପାରନ୍ତି । ବର୍ତ୍ତମାନ ସମୟରେ ଏହି କ୍ଷେତ୍ରରେ ଏକାଧିକ ସୁଯୋଗ ରହିଛି ।

ପ୍ରଶ୍ନ: ଭାରତର ମାନବ ମହାକାଶ ମିଶନ ‘ଗଗନଯାନ’ ବର୍ତ୍ତମାନ ଷ୍ଟାଟସ କ’ଣ ?

ଆନ୍ନାଦୁରାଇ: ‘ଗଗନଯାନ’ ପ୍ରକଳ୍ପର ଶେଷ ପର୍ଯ୍ୟାୟରେ କ୍ରାୟୋଜେନିକ ମେସିନ୍ ବ୍ୟବହାର କରାଯିବ । ଏବେ ଚନ୍ଦ୍ରଯାନ-3 ମିଶନରେ ଏହାର ପରୀକ୍ଷା ହ୍ୟୁମାନ ରେଟେଡ ଭାବେ ବର୍ଣ୍ଣନା କରାଯାଇଥିଲା । ମିଶନ ବାହ୍ୟ ତାପମାତ୍ରାର ପରିବର୍ତ୍ତନ କିମ୍ବା ଲଞ୍ଚିଂ ସମୟରେ ଇନ୍ଧନରେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ବ୍ୟାଘାତ ହେବନାହିଁ । 30 ରୁ ଅଧିକ ପ୍ରକାରର କ୍ରାୟୋଜେନିକ୍ ପରୀକ୍ଷା କରାଯାଇ ସାରିଛି । ପରୀକ୍ଷଣର ଶେଷ ପର୍ଯ୍ୟାୟରେ, କ୍ରାୟୋଜେନିକ୍ ମେସିନ୍ ହ୍ୟୁମାନ ରେଟେଡ ଭାବ ସଫଳ ମଧ୍ୟ ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ମାନବବିହୀନ ମହାକାଶଯାନରେ ପରୀକ୍ଷାମୂଳକ ଭାବେ ‘ହ୍ୟୁମାନାଇଡ ରୋବଟ’ (ମଣିଷ ପରି ଦେଖାଯାଉଥିବା ରୋବୋଟ) ‘ବାୟୁମିତ୍ର’ ମହାକାଶକୁ ପ୍ରେରଣ କରାଯିବ । ଏହି ପରୀକ୍ଷଣର ଫଳାଫଳକୁ ଆଧାର କର ମାନବ ମିଶନ ପାଇଁ ପରବର୍ତ୍ତୀ ପ୍ରୟାସ କରାଯିବ । ମହାକାଶଯାନରେ ବାୟୁ ଚାପ, ତାପମାତ୍ରା ଇତ୍ୟାଦି ଏହି ବିଶେଷ ଧରଣର ରୋବଟ ଉପରେ କ’ଣ ପ୍ରଭାବ ପକାଇଥାଏ ? ଏହା ଜଣାପଡିବା ପରେ ମନ୍ଯୁଷ୍ୟ ମହାକାଶଚାରୀ କେଉଁ ସବୁ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ସେ ନେଇ ଅଧିକ ସୂଚନା ମିଳିପାରିବ । ଯାହା ଏହି ମିଶନକୁ ଆହୁରି ପ୍ରଭାବୀ କରିପାରିବ ।

ପ୍ରଶ୍ନ: ମହାକାଶ ଶିଳ୍ପରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଉପରେ ଆପଣ କଣ ଚିନ୍ତା କରନ୍ତି ?

ଆନ୍ନାଦୁରାଇ:କମ୍ପ୍ୟୁଟର ଏବଂ ସେଲଫୋନ ଭଳି ଟେକ୍ନୋଲୋଜି ପ୍ରଥମେ ସ୍ପେସ ଇଣ୍ଡଷ୍ଟ୍ରିରେ ଆସିଥିଲା । ପରେ ସେମାନେ ବ୍ୟବସାୟିକ ଭାବରେ କାର୍ଯ୍ୟକ୍ଷମ ହେଲେ ଓ ଅନ୍ୟକ୍ଷେତ୍ରରେ ବ୍ୟବହୃତ ହେଲା । ମଙ୍ଗଳଯାନ ମିଶନ ଆରମ୍ଭ ହେବା ଦିନରୁ ଇସ୍ରୋ କୃତ୍ରିମ ବୁଦ୍ଧିମତା ବ୍ୟବହାର କରିଆସିଛି । ମଙ୍ଗଳଯାନ ଠାରୁ ପ୍ରେରିତ ସୂଚନା ଇସ୍ରୋ ନିକଟରେ ପହଞ୍ଚିବା ପାଇଁ 20 ମିନିଟ ସମୟ ଲାଗିପାରେ । ସମାନ ଭାବେ ଗ୍ରାଉଣ୍ଡରୁ ପ୍ରେରିତ ରେସପନ୍ସ କମାଣ୍ଡ ମଧ୍ୟ ସମାନ ସମୟ ଲାଗିପାରେ । ଏହି ତଥ୍ୟ ଆଦାନ ପ୍ରଦାନର ସମୟ ବ୍ଯବଧାନ 40 ମିନିଟ ରହିବ । ଯାହା ଏକ ବଡ ଆହ୍ବାନ । ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରାଯାଇ ଏହି ସମସ୍ୟାକୁ ଦୂର କରିପାରିବ ।

ସେହିଭଳି ଚନ୍ଦ୍ରଯାନ ମିଶନରେ ‘ବିକ୍ରମ’ ଲ୍ୟାଣ୍ଡର ଏବଂ ‘ପ୍ରଜ୍ଞାନ’ ରୋଭରକୁ ସ୍ୱତଃପ୍ରବୃତ୍ତ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଥିଲା । ବର୍ତ୍ତମାନ ଆମେ ଏଥିପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ ମଧ୍ୟ ବ୍ୟବହାର କରୁଛୁ ମଧ୍ୟ । କ୍ରାୟୋଜେନିକ ପରି ଯନ୍ତ୍ରପାତି ପରୀକ୍ଷା କରିବା ସମୟରେ ଉପଲବ୍ଧ ତଥ୍ୟ ଉପରେ ଆଧାର କରି ନିଷ୍ପତ୍ତି ନେବାକୁ କୃତ୍ରିମ ବୁଦ୍ଧିମତା ବା AI ବ୍ୟବହୃତ ହୁଏ । ଉପଗ୍ରହ ପରିକ୍ରମା କରୁଥିବା ମିଶନ ଉପରେ ନଜର ରଖିବା ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଉଛି ।

ପ୍ରଶ୍ନ: ଗ୍ଲୋବାଲ ୱାର୍ମିଂ ବର୍ତ୍ତମାନର ଏକ ବଡ ସମସ୍ୟା । ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ପାଇଁ ଆଦିତ୍ୟ- L1 ମିଶନର ଫଳାଫଳ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ସାହାଯ୍ୟ କରିବ କି ?

ଡ. ଆନ୍ନାଦୁରାଇ: ଆଦିତ୍ୟ L1 ପୃଥିବୀରେ ପରିବର୍ତ୍ତନ ପରିବର୍ତ୍ତେ ମହାକାଶରେ ପରିବର୍ତ୍ତନକୁ ଅନୁଧ୍ୟାନ କରୁଛି । ନିକଟରେ ଉତକ୍ଷେପଣ ହୋଇଥିବା INSAT 3DS ଉପଗ୍ରହ ପୃଥିବୀର ତାପମାତ୍ରାର ଅନୁଧ୍ୟାନ କରିବ । କିଛି ସପ୍ତାହ ମଧ୍ୟରେ 1.5 ବିଲିୟନ ଡଲାର ମୂଲ୍ୟରେ ନିର୍ମିତ ଭାରତ ଓ ଆମେରିକା ମିଳିତ ମହାକାଶ ପ୍ରକଳ୍ପ ‘NISR’ (ନାସା-ଇସ୍ରୋ ସିନ୍ଥେଟିକ୍ ଆପ୍ରେଚର ରାଡାର) ଉପଗ୍ରହ ଉତକ୍ଷେପଣ ହେବାକୁ । ଏହି ଉପଗ୍ରହ ISRO ଏବଂ ନାସା ଦ୍ୱାରା ମିଳିତ ଉଦ୍ୟମରେ ନିର୍ମିତ ହୋଇଛି । ଏହା ପ୍ରତି 14 ଦିନରେ ପୃଥିବୀର ପାଣିପାଗ ସ୍ଥିତିକୁ ତୁଳନା କରି ତଥ୍ୟ ପ୍ରେରଣ କରିବ । ବିଶ୍ବର ଅନ୍ୟ ଦେଶମାନେ ବିଶ୍ବତାପନ ବା ଗ୍ଲାବାଲ ଓ୍ବାର୍ମିଂ ବର୍ତ୍ତମାନ ଜଳବାୟୁ ଓ ପାଣିପାଗ ପାଇଁ କେତେ ଭୟଙ୍କର ତାହା ବୁଝିବା ପାଇଁ ଏହା ଏକ ପ୍ରଭାବୀ ସୁଯୋଗ ସୃଷ୍ଟି କରିବ । କେବଳ ହିମାଳୟ ଓ ଆଣ୍ଟାର୍କଟିକା ନୁହେଁ ବରଂ ଜଙ୍ଗଲର ତାପମାତ୍ରା ମଧ୍ୟ ରେକର୍ଡ କରାଯାଇ ତର୍ଜମା କରାଯାଇପାରିବ । ଯାହା ଗ୍ଲୋବାଲ ଓ୍ବାର୍ମିଂକୁ ମୁକାବିଲା କରିବା ଦିନରେ ଏକ ବଡ ପଦକ୍ଷେପ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details