ହାଇଦ୍ରାବାଦ: ଭାରତର କ୍ବିକ୍ ଇ-କମର୍ସ କମ୍ପାନୀ ବ୍ଲିଙ୍କଇଟ୍ (Blinkit) ଲୋକଙ୍କୁ 10 ମିନିଟ୍ରେ ଅର୍ଡର ପହଞ୍ଚାଉଥିଲା । ଏବେ କମ୍ପାନୀ ଏକ ପ୍ରଶଂସନୀୟ ସେବା ଆରମ୍ଭ କରିଛି । ଏହାଦ୍ବାରା ମାତ୍ର 10 ମିନିଟରେ ଆପଣଙ୍କ ଘରେ ଆମ୍ବୁଲାନ୍ସ ପହଞ୍ଚିବ । ଏଥିଲାଗି କମ୍ପାନୀ ବେସିକ୍ ଲାଇଫ ସପୋର୍ଟ (BLS) ସହିତ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛି । ଏହି ସେବାର ଆରମ୍ଭ ହୋଇସାରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ NCRର ଏକ ସହର ଗୁରୁଗ୍ରାମରେ 5ଟି ଆମ୍ବୁଲାନ୍ସ ସହ ପ୍ରଦାନ କରାଯାଉଛି ।
10ମିନିଟରେ ମିଳିବ ଆମ୍ବୁଲାନ୍ସ ସେବା
ପ୍ରତ୍ୟେକ BLS ଆମ୍ବୁଲାନ୍ସରେ ପାରାମେଡିକ୍, ହେଲପର୍ ଏବଂ ତାଲିମପ୍ରାପ୍ତ ଡ୍ରାଇଭର ରହିବେ ଯାହା ଦ୍ବାରା ସେମାନେ ରୋଗୀଙ୍କୁ ଯଥାଶୀଘ୍ର ଚିକିତ୍ସା ସହାୟତା ଯୋଗାଇ ପାରିବେ । ବ୍ଲିଙ୍କଇଟ୍ ସିଇଓ ଅଲବିନ୍ଦର ଢିଣ୍ଡସା Xରେ ଏକ ପୋଷ୍ଟରେ ବିଏଲ୍ଏସ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ତାଙ୍କ କହିବାନୁସାରେ, ବ୍ଲିଙ୍କଇଟ୍ କମ୍ପାନୀ ଭାରତୀୟ ସହରରେ ଦ୍ରୁତ ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ସମସ୍ୟାର ସମାଧାନ କରିବାକୁ ଯୋଜନା କରୁଛି ।
ଯଦିଓ ବର୍ତ୍ତମାନ ଏହି ସେବା କେବଳ ଗୁରୁଗ୍ରାମରେ ଉପଲବ୍ଧ ହୋଇଛି କିନ୍ତୁ କମ୍ପାନୀର ସିଇଓ ତାଙ୍କ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଖୁବଶୀଘ୍ର ଏହି ସେବା ଦେଶର ଅନ୍ୟ ସହର ତଥା ଅଞ୍ଚଳରେ ଆରମ୍ଭ ହେବ । କମ୍ପାନୀ ଯଥାଶୀଘ୍ର ବ୍ଲିଙ୍କଇଟ୍ ଆପ୍ ମାଧ୍ୟମରେ ଦେଶର ଲୋକଙ୍କୁ ଏକ ମୌଳିକ ଜୀବନ ସହାୟତା (ବିଏଲ୍ଏସ୍) ଆମ୍ବୁଲାନ୍ସ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ସିଇଓ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ବ୍ଲିଙ୍କଇଟ୍ ଆମ୍ବୁଲାନ୍ସ ସେବା ମାପଚୁପ ପର୍ଯ୍ୟାୟରେ ଅଛି । କିନ୍ତୁ ଆଗାମୀ 2ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ସହରରେ ଏହାକୁ ଲଞ୍ଚ କରାଯିବାକୁ ଯୋଜନା କରାଯାଉଛି ।