ହାଇଦ୍ରାବାଦ: ବ୍ରହ୍ମାଣ୍ଡରେ ଅନେକ ଅଦ୍ଭୁତ ଘଟଣା ଘଟେ । କିଛି ଆମ ସାମ୍ନାକୁ ଆସେ ଆଉ କିଛି ମଣିଷ ସମାଜର ଆଢୁଆଳରେ ହୁଏ । ଆକାଶରେ ଆପଣ ଜହ୍ନର ଅନେକ ରଙ୍ଗ ଦେଖିଥିବେ । କେତେବେଳେ ଉଜ୍ଜ୍ବଳମୟ ଧଳା ତ କେତେବେଳେ ନାଲି ଓ ଗୋଲାପି । କିନ୍ତୁ ବର୍ଷ 2024ର ଶେଷରେ ଡିସେମ୍ବର 30 ତାରିଖ ଆଜି ଆକାଶରେ କିଛି ବିରଳ ଘଟଣା ଘଟିବ । ଆଜି ଆମେରିକାର ଆକାଶରେ ଦିଶିବ ବ୍ଲାକ୍ ମୁନ୍ ବା କଳା ଜହ୍ନ । ଆସନ୍ତାକାଲି ଭାରତ ସମେତ ୟୁରୋପ ଓ ଆଫ୍ରିକାରେ ଏହି ବିରଳ ଦୃଶ୍ୟକୁ ଦେଖିହେବ ।
କେମିତି କଳା ହୁଏ ଜହ୍ନ ?
ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ସମାନ ଦିଗରେ ସମାନ୍ତରାଳ ହୋଇଥାନ୍ତି ସେତେବେଳେ ଅମାବାସ୍ୟା ହୋଇଥାଏ ଏବଂ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀଠାରୁ ଦୂରରେ ରହିଥାଏ । ଯାହାଦ୍ବାରା ଏହା ଖାଲି ଆଖିରେ ଅଦୃଶ୍ୟ ଦିଶିଥାଏ ଏବଂ ଆକାଶ କଳା ଦେଖାଯାଏ । ଚନ୍ଦ୍ରକୁ ପୃଥିବୀ ଚାରିପଟେ ଥରେ ଘୂରିବାକୁ ହାରାହାରି 29.5 ଦିନ ଲାଗିଥାଏ, ଏଥିଲାଗି ବେଳେବେଳେ ଗୋଟିଏ ମାସରେ ଦୁଇଟି ନୂଆ ଜହ୍ନ ଦେଖାଯାଏ । ଫଳରେ ଆକାଶରେ କଳା ଜହ୍ନ ଦିଶେ । ଆକାଶରେ ବ୍ଲାକ୍ ମୁନ୍ ଦିଶିବା, ବ୍ଲୁ ମୁନ୍ ପରି ଏକ ମହାଜାଗତିକ ଘଟଣା, ଯାହା ଅତ୍ୟନ୍ତ ବିରଳ ବୋଲି ବିବେଚନା କରାଯାଏ ।
ବ୍ଲାକ୍ ମୁନ୍ କଣ ?
କଳା ଚନ୍ଦ୍ର କହିଲେ ଏହା ବ୍ଲୁ ମୁନ୍ ବା ନୀଳ ଜହ୍ନ ପରି ହୋଇଥାଏ । ଯେତେବେଳେ ନୀଳ ଜହ୍ନର ସମ୍ପର୍କ ପୂର୍ଣ୍ଣିମା ସହିତ ହୋଇଥାଏ, ସେତେବେଳେ କଳା ଜହ୍ନର ସମ୍ବନ୍ଧ ନୂଆ ଜହ୍ନ ବା ଅମାବାସ୍ୟାର ପର ରାତି ସହିତ ହୋଇଥାଏ । ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ ଏହି ରାତି ହେଉଛି ଶୁକ୍ଲ ପକ୍ଷ ପ୍ରତୀପଦା ରାତ୍ରି ଯାହାକି ନୂଆ ଚନ୍ଦ୍ର ନାମରେ ମଧ୍ୟ ଜଣାଶୁଣା । କ୍ୟାଲେଣ୍ଡର ଅନୁଯାୟୀ ଯଦି ଗୋଟିଏ ଋତୁରେ 4ଟି ନୂତନ ଚନ୍ଦ୍ର ଥାଏ ତେବେ ତୃତୀୟ ଅମାବାସ୍ୟାକୁ ବ୍ଲାକ୍ ମୁନ୍ କୁହାଯାଏ । ଏହାର ଅର୍ଥ ହେଉଛି ଗୋଟିଏ ମାସରେ ଦ୍ବିତୀୟ ଅମାବାସ୍ୟା ପଡ଼ିଥାଏ । ବାସ୍ତବରେ କଳା ଜହ୍ନ ଖୁବ୍ କମ ଦେଖାଯାଏ । ଏହା ପ୍ରାୟ ପ୍ରତି 29 ମାସରେ ଥରେ ଆସେ ।