ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଗତକାଲି (ଗୁରୁବାର) ଠାରୁ ଆରମ୍ଭ ହୋଇଛି । ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ ସାରା ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସନ୍ଧ୍ୟା ପରେ ଗାଦି ମନ୍ଦିର ଚାରିଦ୍ୱାରରେ ପ୍ରଜ୍ବଳିତ ଝାଡବତୀରେ ମହଣ ମହଣ ଘୃତହୁତି କରି ଜଗତ ଭକ୍ତଙ୍କ କଲ୍ୟାଣ ମନାସୁଛନ୍ତି ମହିମା ସାଧୁ । ଏହାସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ଢେଙ୍କାନାଳର ମହିମା ଗାଦି ।
ମାଘ ଶୁକ୍ଳ ଚତୁର୍ଦଶୀ ଅବସରରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ମହିମା ପରମ୍ପରା ମୁତାବକ ଚଳିତ ବର୍ଷ ମହିମା ସାଧୁମାନେ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ଏହି ମେଳାରେ ପ୍ରଭୁ ଶୂନ୍ୟଦେହୀଙ୍କ ଉପଲକ୍ଷେ ଗତକାଲି(ଗୁରୁବାର) ପ୍ରଭୁ ପୂର୍ଣ୍ଣିମା ପାଳନ କରିଥିବା ବେଳେ ଆଜି ଦେଶ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରୁଛନ୍ତି ମହିମା ସାଧୁ । ପ୍ରାତଃ ସମୟରୁ ମହିମା ନୀତିକାନ୍ତିର ମହିମା ସାଧୁମାନେ ପ୍ରଭୁ ଅଲେଖ ସ୍ୱାମୀଙ୍କ ସେବା ଲାଗିପଡିଛନ୍ତି । ମୁଖ୍ୟ ଗାଦି ମନ୍ଦିର ଚତୁଃର୍ପାର୍ଶ୍ଵ ଚାରି ଦ୍ୱାରରେ ସ୍ୱତନ୍ତ୍ର ନୀତି ସେବକମାନେ ଧୁନି ସ୍ଥାପନ କରିଛନ୍ତି । ପରମ୍ପରା ଅନୁଯାୟୀ, ମହିମା ସତ୍ୟ ସମାଜ ଓ ସାଧୁ ସମାବେଶ ନିଷ୍ପତ୍ତି ମୁତାବକ ଅପର ସନ୍ୟାସୀ ଭାବେ ୩୩ଜଣଙ୍କୁ କୌପନି ଓ ପର ସନ୍ୟାସୀ ଭାବେ ୧୩ ଜଣଙ୍କୁ ବକଳ ପ୍ରଦାନ କରାଯାଇଛି ।
ଚଳିତ ବର୍ଷ ସୂର୍ଯ୍ୟଙ୍କ ତେଜ ପ୍ରଖର ହେବାରେ ଲାଗିଥିଲେ ମଧ୍ୟ ଖରାକୁ ଖାତିର ନକରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହୋଇଛି । ମହିମା ଧର୍ମର ଏହି ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦିରେ ସାରା ବିଶ୍ୱର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି । ମହିମଗାଦିର ଅଖଣ୍ଡ ବତୀ ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶି ହାତିଆ ମନ୍ଦିର ସାଙ୍ଗକୁ ସାଧୁମାନଙ୍କ ବିଭିନ୍ନ ଆଶ୍ରମ ମଣ୍ଡଳରେ ଭକ୍ତମାନଙ୍କ ଖଚାଖଚ ଭିଡ଼ ଲାଗିରହିଛି । ଏହା ମଧ୍ୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ଅଖଣ୍ଡ ଧୁନିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ଭୋଗ ଅର୍ପଣ କରି ନିଜ ପରିବାର ତଥା ଜଗତବାସୀଙ୍କ କଲ୍ୟାଣ ପାଇଁ ପ୍ରଭୁ ଶୁନ୍ୟଦେହୀଙ୍କ ସରଣାଗାମୀ ହେଉଛନ୍ତି ।