ଭୁବନେଶ୍ବର:ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ଗ୍ରିନ ସିଗ୍ନାଲ । ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ଓୟୁଏଟି(OUAT) ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ମେଳାରେ ଘୋଷଣା କରିଛନ୍ତି ।
- ଲୋକଙ୍କ ଜୀବନ ବଞ୍ଚାଇବା ମହାପୁଣ୍ୟ: ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘‘ଆଗାମୀ ଦିନରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ । ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ‘ଫାୟାର ଫାଇଟର’ ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ । ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇପାରିବେ । ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ । ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେନାହିଁ । ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ ସଫଳତା ହେବ । ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସୁନାମ ରାଜ୍ୟକୁ ସୁରକ୍ଷିତ କରି ରଖିବ ।’’
- ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ
ତେବେ ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ଆଗ୍ନିକ ଗାଡି ଚାଳକ ପଦବୀ ରହିଛି । ସେଥିମଧ୍ୟରୁ ଖାଲି ଥିବା ୮୨୬ ଟି ଆଗ୍ନିକ ଓ ୧୧୫ ଟି ଆଗ୍ନିକ ଗାଡିଚାଳକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ଗୋଟିଏ ଦିନରେ ପଦବୀ ପୂରଣ ହୋଇଛି । ତେବେ ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବ ଏବଂ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।
- ଆରମ୍ଭ ହେବ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟା
ଗୃହ ବିଭାଗରେ ଖାଲିଥିବା ପଦବୀ ଓ ନୂଆ ପଦବୀ ମିଶି ପ୍ରାୟ ୧୦,୦୦୦ ପଦବୀ ଖୁବଶୀଘ୍ର ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୦ଠାରୁ ଗୃହରକ୍ଷୀ ନିଯୁକ୍ତି ବନ୍ଦ ରହିଛି । ଏବେ ପାଖାପଖି ୨୪୧୬ ଟି ପଦବୀ ଖାଲି ଅଛି । ଖୁବଶୀଘ୍ର ଏଗୁଡିକ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ସରକାର ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ।
- ‘ଉତ୍କର୍ଷ ଓଡ଼ିଶା’ ବ୍ୟାପକ ହେବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ‘ମେକ ଇନ ଓଡିଶା- ଉତ୍କର୍ଷ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ମଧ୍ୟ ଆହୁରି ନିଯୁକ୍ତି ସୁଯୋଗର ପଥ ସୃଷ୍ଟି ହେବ ।ଫଳରେ ଆଗାମି ଦିନରେ ରାଜ୍ୟରେ ନିଯୁକ୍ତିର ସୁଯୋଗ ମିଳିବ । ଯୁବପିଢି ନିଯୁକ୍ତି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥର ମହିଳା ହେବେ ଅଗ୍ନିଯୋଦ୍ଧା, ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଘୋଷଣା (ETV Bharat odisha) ଆଗକୁ ଓଡିଶା ଅଗ୍ନିଶମ ବିଭାଗ ଦେଶରେ ଏକ ମଡେଲ ହେବ । ସାରା ଦେଶରେ ଏକ ମଡେଲ ସଂଗଠନ ଭାବେ ବିବେଚନା କରାଯାଉଛି । ରାଜ୍ୟ ସରକାର ଅଗ୍ନିଶମ ବାହିନୀକୁ ‘ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫’ ଅନୁଯାୟୀ ପ୍ରଥମ ରେସପଣ୍ଡର ଭାବେ ଘୋଷଣା କରିଛନ୍ତି । ଯେଭଳି ପ୍ରକାର ବିପର୍ଯ୍ୟୟ ଅଥବା ଦୁର୍ଘଟଣା ଯୋଗୁଁ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଅଗ୍ନିଶମ ବାହିନୀ ଅହରହ କାର୍ଯ୍ୟ କରୁଛି । ପ୍ରତ୍ୟେକ ଦିନ ସେମାନେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଜୀବନ ବଞ୍ଚାଉଛନ୍ତି । ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସମୟରେ ଅଗ୍ନିଯୋଦ୍ଧାମାନେ ଦୁଃସାହସିକତାର ପରିଚୟ ଦେଇଥିଲେ । ଆମ ରାଜ୍ୟରେ ବର୍ତ୍ତମାନ ୩୪୬ଟି ଦମକଳ କେନ୍ଦ୍ର ଅଛି । ଅଗ୍ନିଶମ କେନ୍ଦ୍ରଗୁଡିକ ତୃଣମୂଳ ସ୍ତରରେ ଜୀବନ ରକ୍ଷା ପାଇଁ ସଦା ପ୍ରସ୍ତୁତ ରହି ତ୍ୱରିତ ସହାୟତା ଯୋଗାଉଛନ୍ତି । ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୩୯୪ କୋଟି ଟଙ୍କା ଏବଂ ପଞ୍ଚଦଶ ଅର୍ଥ କମିଶନରୁ ୨୦୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଅଗ୍ନିଶମ ବାହିନୀକୁ ଅଧିକ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି ।
ଏଥର ମହିଳା ହେବେ ଅଗ୍ନିଯୋଦ୍ଧା, ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଘୋଷଣା (ETV Bharat Odisha) - ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ:
ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ବୋଧନ ଦେଇ କହିଥିଲେ,‘‘ସାହସ, ଦୟାଳୁ ମନୋଭାବ ଏବଂ ପ୍ରତିବଦ୍ଧତା ହେଉଛି ଏକ କାର୍ଯ୍ୟ ସମ୍ପାଦନ ପାଇଁ ସଠିକ ଉପାଦାନ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଅଗ୍ନିଶମ ବାହିନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜି ଆମ ରାଜ୍ୟ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି । ସହରାଞ୍ଚଳରେ ସୁରକ୍ଷା ପାଇଁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରେ ଥିବା ନିୟମର ସଂଶୋଧନ କରିବାର ଆବଶ୍ୟକତା ରହିଛି । ନବନିଯୁକ୍ତ ଅଗ୍ନିଯୋଦ୍ଧାମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଆଜି ଆପଣମାନେ ସରକାରଙ୍କ ପକ୍ଷରୁ ପ୍ରଥମ ପତ୍ର ପାଇଲେ । ପ୍ରତିବର୍ଷ ଯେପରି ପ୍ରଶଂସାପତ୍ର ପାଇବେ ସେଥିପ୍ରତି ଚେଷ୍ଟା ଜାରି ରଖନ୍ତୁ ।’’
ଅଗ୍ନିଶମ ବିଭାଗରେ ନିଯୁକ୍ତି ପାଇବେ ମହିଳା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha) - କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥିଗଣ:-
ଏହି ରାଜ୍ୟସ୍ତରୀୟ ନିଯୁକ୍ତି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ସମେତ । ବିଧାୟକ ବାବୁ ସିଂ ଓ ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ , ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହି ନବନିଯୁକ୍ତ ଆଗ୍ନିକମାନଙ୍କୁ ଅନେକ ପ୍ରେରଣା ଦାୟୀ ଅଭିଭାଷଣ ରଖିଥିଲେ ।
ଅଗ୍ନିଶମ ବିଭାଗରେ ନିଯୁକ୍ତି ପାଇବେ ମହିଳା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)