କଟକ:ପରମହଂସ ନିକଟ ନଦୀ ପଠାରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । ମୁଣ୍ଡ ଓ ବେକରେ ଧାରୁଆ ଅସ୍ତ୍ରରେ ହଣା ଦାଗ ରହିଛି । ପ୍ରାଥମିକ ଅନୁଧ୍ୟାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି ପୋଲିସ । ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
କଣ କହିଲେ ସ୍ଥାନୀୟ ଲୋକେ ?
ସ୍ଥାନୀୟ ବାସିନ୍ଦା ସୁଦର୍ଶନ ବାରିକଙ୍କ କହିବା ଅନୁସାରେ, ‘ମୁଁ ସବୁ ଦିନ ପରି ଆଜି ମଧ୍ୟ ସେହି ରାସ୍ତା ଦେଇ ଯାଉଥିଲେ । କିଛି ପିଲା ନଦୀ ପଠାରେ ହାତ ହଲାଇ ଡାକିଥିଲେ । ଏବଂ ଏହା ଦେଖି ପଠା ଭିତରକୁ ଯାଇ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାଧିକାରୀ (କନ୍ଦରପୁର)ଙ୍କୁ ଖବର ଦେଇଥିଲି । ଥାନାଧିକାରୀ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଚିଥିଲେ ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମହିଳା ଜଣଙ୍କ ବେକ ହାତରେ ଗଭୀର ଆଘାତ ଲାଗିଛି । ମୃତଦେହ ନିକଟରେ ଗୋଟିଏ ଚାପଡ଼ ମଧ୍ୟ ପଡି ରହିଛି । ସେହିପରି ପାଖରେ ଗୋଟିଏ ଛୋଟ ଝିଅର ଡ୍ରେସ ମଧ୍ୟ ପଡି ରହିଛି ।’
ଘଟଣାସ୍ଥଳରେ ପୋଲିସର ତନାଘନା:
ଖବର ପାଇ ଘଟଣାସ୍ଥଳରେ କିଛି ସମୟ ପରେ ସନ୍ଧାନୀ କୁକୁର ଯୋଗେ ପୋଲିସ ଘଟଣାର ତଦନ୍ତ କରିଥିବା ବେକେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ନିକଟରେ ପଡିଥିବା ଚାପଡ଼ ଏବଂ ରକ୍ତ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେହିପରି କଟକ ଡିସିପି ଜଗମୋହନ ମିନା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
ମହିଳାଙ୍କ ହାତରେ ଲେଖା ହୋଇଛି ବାବା ବଳିଆ:
ଏନେଇ କଟକ ଡିସିପି ଜଗମୋହନ ମିନା କହିଛନ୍ତି,‘କାଠଯୋଡ଼ି ନଦୀ ପଠାରୁ ଏକ ଅଜଣା ମୃତଦେହ ଠାବ କରାଯାଇଛି । ତାଙ୍କର ସଠିକ ବୟସ ଜଣା ପଡିନଥିବା ବେଳେ ପାଖାପାଖି ୩୫ ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତକ ମହିଳାଙ୍କ ଡାହାଣ ହାତରେ ଓଁ ବାବା ବଳିଆ ଲେଖାଯାଇଛି । ସେହିପରି ଇଂରାଜୀରେ ମଧ୍ୟ ମାତା ଲେଖା ଯାଇଛି ।ସେହିପରି ବାମ ହାତରେ ପିତା ଲେଖା ଯାଇଥିବା ବେଳେ ଏହାର କିଛି ଗ୍ୟାପରେ KPSM ଲେଖା ଯାଇଛି । ମୃତକଙ୍କ ପାଖରେ ଯେଉଁ ଲୁଗାପଟା ଜବତ ହୋଇଛି ସେଥିରେ ସିଲେଇ ଦୋକାନର ନାଁ ଲେଖାଯାଇଛି । ଯେଉଁ ମାନେ ଏହି ମୃତକଙ୍କ ପରିଚୟ ଜାଣିଛନ୍ତି ଡିସିପିଙ୍କ ଅଫିସିଆଲ ନମ୍ବରରେ ଅନୁରୋଧ ।’