ବଲାଙ୍ଗୀର: ବାଜୁଥିଲା ସାହାନାଇ, ଧୁମଧାମରେ ଚାଲିଥିଲା ବାହାଘର । ଅନ୍ୟ ଏକ ଝିଅ ସହ ହାତଗଣ୍ଠି ପଡୁଥିବା ବେଳେ ବେଦୀରେ ପହଞ୍ଚି ଗଲେ ପ୍ରଥମ ସ୍ତ୍ରୀ । ରାଗରେ ଜର୍ଜରିତ ହୋଇ ସ୍ବାମୀ ସହ ସମ୍ପର୍କୀୟଙ୍କୁ ମାରିଲେ ମାଡ଼ । ଥାନାରେ ପହଞ୍ଚିଲା ମାମଲା । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ବଲାଙ୍ଗୀର ପାଟଣାଗଡ଼ରୁ । ଅଭିଯୋଗ ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗତ 2015 ମସିହାରେ ପାଟଣାଗଡର ଝିଅ ପ୍ରିୟମ୍ବଦା ବାଗ ରାଉରକେଲାର ପ୍ରକାଶ ହରିପାଲଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ବାହାଘର ତିଷ୍ଠି ନପାରିବା କାରଣରୁ ଦୁହେଁ ଅଲଗା ରହି ଆସୁଥିଲେ । ସେପଟେ ପ୍ରକାଶ ହରିପାଲ ଆଜି ପାଟଣାଗଡରେ ଦ୍ଵିତୀୟ ବିବାହ କରୁଥିବା ଖବର ପାଇଥିଲେ ପ୍ରିୟମ୍ବଦା । ଅତିଥିମାନଙ୍କ ଉପସ୍ଥିତିରେ ହାତଗଣ୍ଠି ପଡୁଥିବା ସମୟରେ ପ୍ରଥମ ସ୍ତ୍ରୀ ଅର୍ଥାତ ପ୍ରିୟମ୍ବଦା ପହଞ୍ଚି ହଙ୍ଗାମା କରିଥିଲେ । ଏହାସହ ବର(ପ୍ରକାଶ ହରିପାଲ)ଙ୍କ ସହ ତାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ଉଗ୍ରରୂପ ନେବା ପରେ ମାମଲା ଥାନାରେ ପହଞ୍ଚିଥିଲା । ତେବେ ଅଭିଯୋଗ ପରେ ପୋଲିସ ମହିଳାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ।