ଭୁବମନେଶ୍ବର:ଭୁବନେଶ୍ବର ଏମ୍ସ ଶିଶୁ ବିଭାଗ ଡାକ୍ତରୀ ଦଳକୁ ବଡ଼ ସଫଳତା । ବିନା ଅସ୍ତ୍ରୋପଚାରରେ ୯ ବର୍ଷୀୟ ବାଳକ ପେଟରୁ ବାହାର କଲେ ପ୍ରାୟ ୪ ସେମି ଲମ୍ବର ଛୁଞ୍ଚି । ଉକ୍ତ ତୀକ୍ଷ୍ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା । ମାତ୍ର ଏମ୍ସ ଶିଶୁ ବିଭାଗର ଚିକିତ୍ସକ ଦଳ ରାଜ୍ୟରେ ପ୍ରଥମ କରି ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ଉକ୍ତ ସିଲେଇ ଛୁଞ୍ଚି ବାହାରି କରି ରେକର୍ଡ କରିଛନ୍ତି ।
ତେବେ ପଶ୍ଚିମବଙ୍ଗର ଜଣେ ୯ ବର୍ଷୀୟ ବାଳକ ଅନ୍ୟମନସ୍କ ଭାବେ ପ୍ରାୟ ୪ ସେମି ଲମ୍ବର ସିଲେଇ ଛୁଞ୍ଚିକୁ ଗିଳି ଦେଇଥିଲେ । ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍ଫୁସ୍ର ନିମ୍ନଭାଗରେ ଲାଗିଯାଇଥିଲା । ଛୁଞ୍ଚି ଗିଳିବାର ଦୁଇ ଦିନ ପରେ ଉକ୍ତ ନାବାଳକଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ଅଣାଯାଇଥିଲା । ଶିଶୁ ବିଭାଗକୁ ଆସିବା ପରେ ନାବାଳକଙ୍କ ଏପରି ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ । କାରଣ ଫୁସ୍ଫୁସ୍ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଫୁସ୍ଫୁସ୍ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା । ତେଣୁ ଶିଶୁ ବିଶେଷଜ୍ଞ ଡ.ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍ ଗୁଲ୍ଲା, ଡ.କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଛନ୍ତି ।