ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବଦଳିବା ପରେ ବଦଳିବେ କି ରାଜ୍ୟ ପ୍ରଶାସନର ମୁଖ୍ୟ ? ମୋହନ ସରକାରରେ କିଏ ହେବେ ରାଜ୍ୟ ପ୍ରଶାସନର ପରବର୍ତ୍ତୀ ମୁଖ୍ୟ ? ସରିବାକୁ ଯାଉଛି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ । ତେଣୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ସେନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ଏହାମଧ୍ୟରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ମନୋଜ ଆହୁଜା କେନ୍ଦ୍ରୀୟ ଡେପ୍ୟୁଟେସନରୁ ଓଡ଼ିଶା ଫେରୁଥିବାବେଳେ ମୁଖ୍ୟ ଶାସନ ସଚିବ ରେସରେ ତାଙ୍କ ନାଁ ସର୍ବଆଗରେ ରହିଛି ।
ରାଜ୍ୟ ପ୍ରଶାସନର ପରବର୍ତ୍ତୀ ମୁଖିଆ ହେବେ କିଏ ? କିଏ ହେବ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? କାହା ନେତୃତ୍ୱରେ ପରିଚାଳିତ ହେବ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ? ନୂଆ ପ୍ରଶାସନିକ ମୁଖ୍ୟ ଭାବେ କାହାକୁ ଭରସା କରିବେ ମୋହନ ସରକାର ? ସରକାର ମୁଖ୍ୟ ଶାସନ ସଚିବ ଭାବେ ସତ୍ୟବ୍ରତ ସାହୁ, ଅନୁ ଗର୍ଗ, ନୀକୁଞ୍ଜ ବିହାରୀ ଧଳଙ୍କ ଭିତରୁ ଜଣଙ୍କୁ ବାଛିବେ ନା ଡେପୁଟେସନରୁ ଫେରିଥିବା ମନୋଜ ଆହୁଜାଙ୍କୁ ସର୍ବୋଚ୍ଚ ପଦରେ ଅବସ୍ଥାପିତ କରିବେ ? ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ମିଳିବ କି ଆଉ ଗୋଟିଏ କାର୍ଯ୍ୟ ବୃଦ୍ଧି ନିର୍ଦ୍ଦେଶ ? ଏଭଳି ଅନେକ ପ୍ରଶ୍ନ ଜନସାଧାରଣ, ପାୱାର କରିଡର ଓ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ରେସରେ କେଉଁ ଅଧିକାରୀ:
1. ଆଇଏଏସ ମନୋଜ ଆହୁଜା: ଏହି ରେସରେ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ ମଧ୍ୟ ମନୋଜ ଆହୁଜାଙ୍କ ନାଁ ଏବେ ସର୍ବଆଗରେ ରହିଛି । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର IAS ମନୋଜ ଆହୁଜା । ବର୍ତ୍ତମାନ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ପଦରେ ଅଛନ୍ତି । ଆହୁଜା ଓଡ଼ିଶା ଫେରିବା ନେଇ କ୍ୟାବିନେଟ ମଞ୍ଜୁରୀ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଞ୍ଜୁରୀ ଦେଇଛି କ୍ୟାବିନେଟ । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ମନୋଜଙ୍କ କେନ୍ଦ୍ରୀୟ ନିଯୁକ୍ତି ବାତିଲ ହୋଇଛି । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ତତ୍କାଳ ଓଡିଶା ଫେରିବାକୁ କୁହାଯାଇଛି । ଜୁନ ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ମନୋଜ ଆହୁଜାଙ୍କୁ ଏହି ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ ବୋଲି ଆକଳନ କରାଯାଉଛି । ମୋହନ ସରକାରରେ ମନୋଜ ମୁଖ୍ୟ ଶାସନ ସଚିବ ହେବା ନେଇ କୁହାଯାଉଛି । ମୁଖ୍ୟ ଶାସନ ସଚିବ ନହେଲେ ମଧ୍ୟ CMOରେ ଏକ ବଡ ଦାୟିତ୍ଵ ମିଳିପାରେ ।
2. ଅନୁ ଗର୍ଗ:ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନାଁ ମଧ୍ୟ ଏହି ରେସରେ ରହିଛି । ରାଜ୍ୟରେ ଥିବା ଅଧିକାରୀଙ୍କ ମଧ୍ୟରୁ 1991 ବ୍ୟାଚର ଉନ୍ନୟନ କମିଶନର ଥିବା ଅନୁ ଗର୍ଗ ବରିଷ୍ଠତା ଦୃଷ୍ଟିରୁ ଆଗରେ ଅଛନ୍ତି । ପୂର୍ବ ସରକାରଙ୍କ ଗୁଡ୍ବୁକରେ ଥିଲେ ଅନୁ । ବିଜେଡି ସରକାର ଆସିଥିଲେ ଅନୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହେବାର ଯଥେଷ୍ଟ ସମ୍ଭାବନା ଥିଲା । ନୂଆ ସରକାରରେ ତାଙ୍କର ଗ୍ରହଣୀୟତା ନେଇ ସନ୍ଦେହ ରହିଛି ।