ନୟାଗଡ଼: ୧୯୮୮ ମସିହାରେ ନୟାଗଡ଼ରେ ପ୍ରତିଷ୍ଠା ହୋଇଥିଲା ଚିନି କଳ । ନୟାଗଡ଼ ଚିନି କଳର ବେଶ ପରିଚିତି ମଧ୍ୟ ଥିଲା । ଦୀର୍ଘ ବର୍ଷ ଧରି ଏହା ସୁରୁଖୁରୁରେ ଚାଲିଥିଲା । ହେଲେ ୨୦୧୪ରୁ ବନ୍ଦ ହୋଇଗଲା । ଏବେ ପୁଣି ଥରେ ନୟାଗଡ଼ ଚିନି କଳକୁ ନେଇ ସୃଷ୍ଟି ହୋଇଛି ସମ୍ଭାବନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶ୍ବାସନା ଦେବା ପରେ, ଉତ୍ସାହିତ ସ୍ଥାନୀୟ ଲୋକେ ଏବଂ ଆଖୁଚାଷୀ । ତେବେ କେଉଁଠି ତିଆରି ହେବ ଚିନି କଳ ? ପୁରୁଣା ଚିନି କଳର ପୁନରୁଦ୍ଧାର ନା ନୂଆ ସ୍ଥାନରେ ଗଢ଼ିବ ନୂଆ ଚିନି କଳ ? ତାକୁ ନେଇ କଳ୍ପନା ଜଳ୍ପନା ?
କେଉଁଠି ହେବ ନୂଆ ଚିନି କଳ ?
କେଉଁଠି ହେବ ନୟାଗଡ ଜିଲ୍ଲାର ନୂଆ ଚିନି କଳ ? ସ୍ଥାନ ଚିହ୍ନଟକୁ ନେଇ ବିବାଦ ଜୋର ଧରିଥିବା ବେଳେଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁରୁଣା ଚିନି କଳ ପାଣିପୋଇଲାଠାରେ ଚିନି କଳ ପ୍ରତିଷ୍ଠା ଦାବି କରାଯାଇଛି । ଅନ୍ୟପଟେ ଗମେଇ ଗାଁ ନିକଟରେ ଚିନି କଳ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲା ପୁରୁଣା ଚିନି କଳ ବନ୍ଦ ହୋଇ ପଡ଼ି ରହିଥିବା ବେଳେ, ନୂଆ ଚିନି କଳ ପ୍ରତିଷ୍ଠାକୁ ସ୍ଥାନ ଚିହ୍ନଟ ଝାମେଲା ଲାଗି ରହିଥିବା ଅଭିଯୋଗ ହେଉଛି ।
ଚିନି କଳ ସ୍ଥାନ ଚିହ୍ନଟ ବିବାଦ ?
ନୟାଗଡଜିଲ୍ଲାରେ ନୂତନ ଚିନି କଳ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଖୁ ଚାଷୀ ଓ ଶ୍ରମିକମାନଙ୍କ ମନରେ ଆଶା ସଞ୍ଚାର ହୋଇଛି । ହେଲେ କଳ ପ୍ରତିଷ୍ଠା ପୂର୍ବରୁ ସ୍ଥାନ ଚିହ୍ନଟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଗମେଇ ଗାଁ ନିକଟରେ ନା ପୁରୁଣା ଚିନିକଳ ପାଣି ପୋଇଲା ଡ୍ୟାମ୍ ନିକଟରେ ନୂଆ ଚିନିକଳ ପ୍ରତିଷ୍ଠା ହେବ, ଏହାକୁ ନେଇ ବିବାଦ ଜୋର ଧରିଛି ।
ପୁରୁଣା ଚିନି କଳ ନିକଟରେ ପ୍ରତିଷ୍ଠା ଦାବି:
ନୟାଗଡ଼ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାଣିପୋଇଲା ନିକଟରେ ନୂଆ ଚିନିକଳ ପ୍ରତିଷ୍ଠା ଦାବି କରାଯାଇଛି । ଚାଷୀ, ଶ୍ରମିକ ଏବଂ ପୁରୁଣା ଚିନିକଳ କର୍ମଚାରୀଙ୍କୁ ନେଇ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇ ନିଷ୍ପତ୍ତି ନିଆଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ପୁରୁଣା ଚିନି କାରଖାନା ନିକଟରେ 110 ଏକରରୁ ଅଧିକ ଜମି ରହିଛି । ଆବଶ୍ୟକ ଭିତ୍ତିଭୂମି ଥିବା ସ୍ଥାନରେ ଚିନି କଳ ପ୍ରତିଷ୍ଠା ପାଇଁ ଦାବି ହୋଇଛି । ଏହାକୁ ସୁପାରିସ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଦାବି କରିଛି ମିଳିତ ଚିନିକଳ କ୍ରିୟାନୁଷ୍ଠାନ କମିଟି ।
ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ମନୋଜ କୁମାର ସାହୁ କହିଛନ୍ତି, "କିଛି ମୃଷ୍ଟିମେୟ ବ୍ୟକ୍ତି ଚାହୁଁଛନ୍ତି ଚିନିକଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା । ଯେହେତୁ ଏଠାରେ ଚିନିକଳ ହେବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ଚାଷୀ ଓ ଶ୍ରମିକ ପୂର୍ବରୁ କ୍ଷତିଗ୍ରସ୍ତ ହୋଇଛନ୍ତି, ପାଣିର ବ୍ୟବସ୍ଥା ରହିଛି, ଆଖୁ ଚାଷ ମଧ୍ୟ ହେଉଛି । ଯଦି ଏଠାରେ ଚିନି କଳ ନହୁଏ ତେବେ ଆନ୍ଦୋଳନ ଜୋରଦାର କରାଯିବ ।"
ନୟାଗଡ଼ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଚକ୍ରଧର ଜେନା, "ପୁରୁଣା ଚିନିକଳ ନିକଟରେ ଏହି ନୂଆ ଚିନିକଳ ପ୍ରତିଷ୍ଠା କରିବାକୁ ଆମେ ଚିଠା ପ୍ରସ୍ତୁତ କରି ନକ୍ସା ଦେଇଛୁ । କ୍ରିୟାନୁଷ୍ଠାନ କମିଟି, ଚାଷୀ ଓ ଶ୍ରମିକମାନଙ୍କ ତରଫରୁ ଆମେ ଅନୁରୋଧ କରୁଛ, ଆମେ ଦେଇଥିବା ଜାଗାରେ ଚିନି କଳ ପ୍ରତିଷ୍ଠା ହେଉ ।"