ଭୁବନେଶ୍ବର:ଫେବୃଆରୀ ୩ ଆରମ୍ଭ ହେବ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ । ଏଥିପାଇଁ ଗତକାଲି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରିଛନ୍ତି । ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ସମ୍ମିଳନୀର ପ୍ରସ୍ତାବ ଅନୁଯାୟୀ ଭାଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି ।
ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତିନି ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ । ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ୍ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’ । ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ୧୬ଟି ଆକାଡେମିକ ଅଧିବେଶନ ରହିଛି । ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ, ବୁଦ୍ଧିଜୀବୀଙ୍କ ସମେତ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଯୋଗଦେବେ । ଏହି ସମ୍ମିଳନୀ ଓଡିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ । ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳନ କରାଯିବ । ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ । ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ ।