ସମ୍ବଲପୁର:ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାରର ହାଉସ ସର୍ଜନ ଓ ୟୁଜି ମେଡିକାଲ ଛାତ୍ରଛାତ୍ରୀ l ମେଡିକାଲର ବିଭିନ୍ନ ସମସ୍ୟା ତଥା ଡାକ୍ତରୀ ଛାତ୍ରଙ୍କ ଷ୍ଟାଇପେନ ନମିଳିବା ସମସ୍ୟା ନେଇ ଦୀର୍ଘ 6 ମାସ ଧରି ଦାବି କରାଯାଉଥିଲା । ତେବେ ବୁଧବାର ସୁଦ୍ଧା ମେଡିକାଲ କଲେଜ କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନନେବାରୁ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମେଡିକାଲ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି l ରୋଗୀଙ୍କ ଅସୁବିଧାକୁ ନଜରରେ ରଖି ଛାତ୍ରଛାତ୍ରୀ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।
ସୂଚନା ଅନୁଯାୟୀ, ବିଗତ 7 ଦିନ ଦିନ ଧରି ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରି ଆସୁଥିଲେ l ଗତକାଲି ମେଡିକାଲ ଛାତ୍ର ଛାତ୍ରୀ ବୁର୍ଲାରେ ପ୍ରତିବାଦ ଶୋଭାଯାତ୍ରା କରିବା ସହ ଉତ୍ତରାଞ୍ଚଳ RDCଙ୍କ ସହ ଆଲୋଚନା କରିଥିଲେ l ତେବେ କୌଣସି କୌଣସି ସକାରାତ୍ମକ ପଦକ୍ଷେପ ନନେବାରୁ ଏହି ଆନ୍ଦୋଳନକୁ ଓଲ୍ଲାଇଥିବା ସେମାନେ ମତ ଦେଇଛନ୍ତି । ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଏହି ଆନ୍ଦୋଳନ କାରଣରୁ ଭୀମସାର ମେଡିକାଲରେ ରୋଗୀ ସେବା ଅଂଶୀକ ଭାବେ ପ୍ରଭାବିତ ହୋଇଛି l ବିଭିନ୍ନ ସମସ୍ୟା ନେଇ ଜୁନିୟର ଡାକ୍ତର ଆସୋସିଏସନ ପକ୍ଷରୁ ଗତକାଲି ବୁର୍ଲା ସହରରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ମେଡିକାଲ କଲେଜ ସମ୍ମୁଖରେ ପ୍ରତିବାଦ ମଧ୍ୟ କରାଯାଇଥିଲା l ଏହା ପରେ ମେଡିକାଲ କଲେଜ କତୃପକ୍ଷଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ଓ ପରେ RDCଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା l ତେବେ ଏହି ଆଲୋଚନା ପରେ ସବୁ ସମସ୍ୟାର ସମାଧାନ ହୋଇ ନପାରିବାରୁ ଆଜି ଠାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ହେଉଛି l