ବାଲେଶ୍ବର:ଭୋଟ ବର୍ଜନ କରିବେ ଅନନ୍ତପୁର ଗ୍ରାମବାସୀ । 'ଗାଁ ସମସ୍ୟା କଥା ଯଦି କେହି ନବୁଝିବେ ତେବେ ନେତା ବାଛିବାର ଲାଭ ବା କଣ । ଗାଁର ସମସ୍ୟା ନସୁଧୁରିଲେ ଏଥର ଭୋଟ ବର୍ଜନ କରିବୁ।' ଏମିତି ଚେତାବନୀ ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଅନନ୍ତପୁର ପଞ୍ଚାୟତର ଅଇଁରି ଗ୍ରାମବାସୀ । ସ୍ବାଧୀନତା ପରେ ମଧ୍ୟ ଗାଁକୁ ରାସ୍ତା ନଥିବା ବେଳେ ମୌଳିକ ସମସ୍ୟାରୁ ବଞ୍ଚିତ ଗ୍ରାମବାସୀଙ୍କ ସମସ୍ୟା କଥା କେହି ବୁଝୁ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, ଅନନ୍ତପୁର ପଞ୍ଚାୟତର ଅଇଁରିକୁ ଏବେ ସୁଦ୍ଧା ଏକ ଭଲ ରାସ୍ତା ନାହିଁ । ସେଥିପାଇଁ ଗାଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷା ଦିନେ ଉକ୍ତ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିବା ସହିତ ବଡ଼ ବଡ଼ ଖାଲ ହୋଇଯାଉଛି । ଯେଉଁଥି ପାଇଁ ଜରୁରୀ କାଳୀନ ସେବା ଗାଁ ଲୋକଙ୍କ ପାଇଁ ଅପହଞ୍ଚ ହୋଇରହିଛି । ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରୁ ନଥିବା ବେଳେ କାହାର ଦେହ ଖରାପ ହେଲେ ଖଟିଆ ହିଁ ଏକମାତ୍ର ଭରସା ପାଲଟିଛି । ଏବେ ମଧ୍ୟ ସେହି ଗାଁରୁ ରୋଗୀ ଓ ଗର୍ଭବତୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି । ଅନ୍ୟପଟେ ପାଖାପାଖି 500ରୁ ଅଧିକ ପରିବାର ଥିବା ଏହି ଗ୍ରାମରେ ପାନୀୟ ଜଳ ପାଇଁ ମଧ୍ୟ ସୁବିଧା ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ପୂର୍ବରୁ ବିଧାୟକ, ନେତା ଓ ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।