ବ୍ରହ୍ମପୁର: ବିଜେପି ପକ୍ଷରୁ ଆରମ୍ଭ ହେବ 'ଗାଁକୁ ଚାଲ' ଅଭିଯାନ । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇବେ ବିଜେପି ନେତା ଓ କର୍ମୀ । ଏନେଇ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବ୍ରହ୍ମପୁର ସହରର ରାଜସ୍ବ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡ଼.ସୁବାଷ ସାହୁ ଏଥିରେ ସଭାପତିତ୍ବ କରିଥିଲେ ।
ତେବେ 'ଗାଁକୁ ଚାଲ' ଅଭିଯାନ ସମ୍ପର୍କରେ ବିଜେପି ଦଳର ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, 'ନିର୍ବାଚନ ପାଖେଇ ଆସୁଥିବାବେଳେ ତୃଣମୂଳ ସ୍ତରକୁ ଯାଇ ସଙ୍ଗଠନକୁ ମଜବୁତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଛି କି ନାହିଁ ତାହା ତଦାରଖ ସହ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶାରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବ । ଏଥି ସହ ଓଡ଼ିଶାରେ ଡ଼ବଲ୍ ଇଞ୍ଜିନ୍ ସରକାର ହେବ ସେଥିପାଇଁ କାର୍ଯ୍ୟକର୍ତ୍ତାଙ୍କୁ "ଗାଁ କୁ ଚାଲ" ଅଭିଯାନ ଆହ୍ବାନ ଦିଆଯାଇଛି । '
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଦେଉଥିବା ଅର୍ଥ ଏବଂ ବିଭିନ୍ନ ଯୋଜନା ରାଜ୍ୟରେ ସରକାର ବାଟବଣା କରୁଛି । ସେହି ବାଟବଣାକୁ ରାସ୍ତାରୁ ହଟେଇ ଲୋକମାନେ ଯେଉଁ ଭଳି ଭାବେ ନ୍ୟାୟ ଏବଂ ତାଙ୍କ ଅଧିକାର ପାଇପାରିବେ ସେଥିପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କୁ ବାରମ୍ବାର ମାଗିବା ପରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କର ପୂର୍ଣ୍ଣାଙ୍ଗ ସୂଚୀ କେନ୍ଦ୍ର ସରକାରଙ୍କ ପାଖରେ ଦେଇପାରିଲେ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଘର କେନ୍ଦ୍ର ସରକାର ୩୫ ଲକ୍ଷ ଘର ଓଡ଼ିଶାକୁ ଦେଲେ କିନ୍ତୁ ରାଜ୍ୟ ସରକାର ସମସ୍ତେ ଘର ପାଇଲେ କହି ୮ ଲକ୍ଷ ଘର ଫେରାଇ ଦେଲେ । କିନ୍ତୁ ଲୋକେ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଘର ପାଇନାହାନ୍ତି । ଲୋକଙ୍କୁ ସୁବିଧାରୁ ବଞ୍ଚିତ କରିବାର ଦଳ ହେଉଛି ବିଜୁ ଜନତା ଦଳ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଲେଖାଶ୍ରୀ ସାମନ୍ତସିଂହାର ।