ବ୍ରହ୍ମପୁର:ଜେଲ ଗଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶେଷରେ ଗିରଫ ହୋଇ ଜେଲ ଗଲେ ଭଞ୍ଜନଗର ଅଞ୍ଚଳର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ । ଭିଜିଲାନ୍ସ ପ୍ରସନ୍ନ ସ୍ବାଇଁଙ୍କ ଘର, ସରକାରୀ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଓ ବ୍ରହ୍ମପୁର ତୁଳସୀ ନଗର ସ୍ଥିତ ଚାରି ମହଲା କୋଠା ସମେତ ମୋଟ୍ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିଲା । ଏହି ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯାହା ସମ୍ପତ୍ତି ପାଇଛି ତାହା ବିଭାଗର ଆଖି ଝଲସି ଦେଲା ଭଳି ।
ବାବୁ ରଖିଥିଲେ ଅମାପ ସମ୍ପତ୍ତି:
ଆୟ ଠାରୁ ବହୁ ଗୁଣା ସମ୍ପତ୍ତି ରଖିଥିଲେ ଯନ୍ତ୍ରୀ । ପ୍ରସନ୍ନଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୮ କୋଟି ୧୧ ଲକ୍ଷ ୩୮ ହଜାର ୬୧୪ ଟଙ୍କା । ଯାହା ତାଙ୍କ ଆୟ ଠାରୁ ଏହା ୧୧୦୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଟିମ ଖୋଳତାଡ ସମୟରେ ଜାଣିବାକୁ ପାଇଛି । ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିକୁ ଦେଖିବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏଥିସହ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
କୋଠାପ୍ରେମୀ ଯନ୍ତ୍ରୀ:
ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିବା ସମୟରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ନେଇ ଖୋଳତାଡ କରିଥିଲା ଭିଜିଲାନ୍ସ ଟିମ୍ । ଏହି ସମୟରେ ବ୍ରହ୍ମପୁର ସହରର ତୁଳସୀନଗର ଅଞ୍ଚଳରେ ରହିଥିବା ୧୦,୪୦୦ ବର୍ଗମିଟର ଅଞ୍ଚଳର ୪ମହଲା କୋଠା ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ୪ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍ ଆକଳନ କରିଛି । ଭଞ୍ଜନଗର ଅଞ୍ଚଳର ଭେଜିପୁଟ ରାସ୍ତାରେ ବାଘ୍ରଦେବୀ ରାସ୍ତାରେ ମଧ୍ୟ ରହିଥିବା ୯୫୬୫ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବା ଚାରି ମହଲା କୋଠା ଠାବ କରିଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ତିନି ଲକ୍ଷ ଟଙ୍କା ହେବ ।
ଏହା ମଧ୍ୟ ପଢନ୍ତୁ: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ |