ବ୍ରହ୍ମପୁର:ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ପ୍ରାଣୀ ଚିକିତ୍ସକଙ୍କୁ ସରକାର ଅବହେଳା କରିଆସୁଛନ୍ତି । ସେମାନଙ୍କୁ ପଦୋନ୍ନତି ନ ମିଳିବା ଏବଂ ବିଭାଗର ରୂପାନ୍ତରୀକରଣ ସମେତ ବିଭିନ୍ନ ଦାବି ନେଇ ଗତ ୧୨ ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ଯାହାଫଳରେ ପ୍ରାଣୀ ଚିକିତ୍ସା ପ୍ରଭାବିତ ହୋଇଛି । ଜିଲ୍ଲାର ୩୮ ଗୋଟି ପ୍ରାଣୀ ଚିକିତ୍ସାଳୟରେ ଗୃହପାଳିତ ପଶୁପକ୍ଷୀର ଚିକିତ୍ସା ତଥା କୃତ୍ରିମ ପ୍ରଜନନ ପ୍ରକ୍ରିୟା ପ୍ରଭାବିତ ହୋଇଛି ।
ଜିଲ୍ଲାର ସମସ୍ତ ଚିକିତ୍ସକ କଳା ବ୍ୟାଚ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଇଥିବା ବେଳେ ଏଥିଯୋଗୁଁ ଜିଲ୍ଲାରେ ପ୍ରାଣୀମାନଙ୍କୁ ଆବଶ୍ୟକସ୍ଥଳେ ଉପଯୁକ୍ତ ଚିକିତ୍ସା ମିଳି ପାରୁନାହିଁ । ଫଳରେ ବିଭିନ୍ନ ପ୍ରକାର ପ୍ରାଣୀଙ୍କୁ ପାଳନ କରି ଜୀବିକା ନିର୍ବାହ କରି ଆସୁଥିବା ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗରେ ରହିଥିବା ବିଭିନ୍ନ ଯୋଜନା ମଧ୍ୟ ଚାଷୀଙ୍କ ନିକଟରେ ଏଭଳି ଆନ୍ଦୋଳନ ଯୋଗୁଁ ପହଞ୍ଚି ପାରୁନାହିଁ । ଏପରିକି ଗତ ୧୨ ଦିନ ଧରି ପ୍ରାଣୀ ଚିକିତ୍ସା ସେବା ସଂଘର ଆନ୍ଦୋଳନ ଯୋଗୁଁ ପ୍ରାଣ ହରାଇଥିବା ବୀମାଭୁକ୍ତ ଗୃହପାଳିତ ପଶୁ କିମ୍ବା ପ୍ରାଣୀମାନଙ୍କ ସରକାରୀ ନିୟମ ଅନୁଯାୟୀ ବ୍ୟବଚ୍ଛେଦ ହୋଇନାହିଁ । ଏଥିଯୋଗୁଁ ବ୍ୟାଙ୍କରୁ ଋଣ ଆଣି ପ୍ରାଣୀମାନଙ୍କୁ ପାଳନ କରୁଥିବା ବ୍ୟକ୍ତିବିଶେଷ ଏହାକୁ ନେଇ ଚିନ୍ତାରେ ରହିଥିବା କୁହାଯାଇଛି ।