କଟକ:ଏସସିବି ମେଡିକାଲକୁ ସଫଳତା ,ସଫଳ ହେଲା ବିରଳ ଅସ୍ତ୍ରୋପଚାର । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହେଲା ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର "ଭାସକୁଲାରାଇଜଡ଼ ଲିମ୍ପନୋଡ଼ ଟ୍ରାନ୍ସଫର"(Vascularised Lymphnode Transfer) । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି । ଦୀର୍ଘ ୧୬ ବର୍ଷ ଧରି ଫାଇଲେରିଆ ରୋଗରେ ପୀଡିତ ଜଣେ ମହିଳାଙ୍କର ଏହି ଭିନ୍ନ ଓ ନୂତନ ପଦ୍ଧତିରେ ଅପରେସନ କରି ଚିକିତ୍ସା କରାଯାଇଛି । ମହିଳା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ରୀତାରାଣୀ ସାଇଁ(୩୩) ।
ଦୀର୍ଘ ୧୬ ବର୍ଷ ଧରି ଫାଇଲେରିଆ ରୋଗରେ ତାଙ୍କର ବାମ ଗୋଡ଼ଟି ସଂପୂର୍ଣ୍ଣ ମାତ୍ରାରେ ଫୁଲିଯାଇଥିଲା । ସେ ନିଜ କାମ ଠିକରେ କରି ପାରିଥିଲେ ନା ଘର କାମ । ଏହା ତାଙ୍କର ଦୈନନ୍ଦିନ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଥିଲା । ମାନସିକ ଚାପରେ ରହୁଥିଲେ ମହିଳା ଜଣକ । ଏହି ରୋଗଟି ଆଉ ଜୀବନ ଯାକ ଭଲ ହେବ ନାହିଁ ବୋଲି ମନକୁ ବୁଝାଇ ସାରିଥିଲେ ସେ । ଏସସିବି ଆସିବା ପରେ ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କଲେ ବିଭାଗୀୟ ଡାକ୍ତରୀ ଟିମ ।
ତେବେ 5 ଘଣ୍ଟାର କଷ୍ଟସାଧ୍ୟ ଅପରେସନ ପରେ ଶରୀରର ଭିନ୍ନ ଅଙ୍ଗରୁ ଲିମ୍ପନୋଡ ଆଣି ଗୋଡ଼ରେ ମାଇକ୍ରୋ ସର୍ଜରୀ ଜରିଆରେ ଇମ୍ପ୍ଲାଣ୍ଟ କରାଯାଇଥିଲା । ଯାହା ଭାରତରେ ମାତ୍ର ଦୁଇ ବର୍ଷ ଧରି କରୁଛନ୍ତି ଚିକିତ୍ସକମାନେ । ଏବଂ ଏହି ସର୍ଜରି ରାଜ୍ୟରେ ପ୍ରଥମ ଥର ପାଇଁ କରିଛନ୍ତି ଏସସିବିର ଡାକ୍ତରୀ ଟିମ । ପନ୍ଦର ଦିନ ତଳେ ଏହି ପଦ୍ଧତିରେ ଚିକିତ୍ସା କରିବା ପରେ ଆଜି ଏନେଇ ସୂଚନା ଦେଇଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ। ।