ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ “ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ ୩ ତାରିଖ ଦିନ ବିଦ୍ୟାଳୟସ୍ତର, ୪ ତାରିଖରେ ବ୍ଲକ ସ୍ତରରେ ଓ ୫ ତାରିଖରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମଗ୍ର ଶିକ୍ଷାର “ଅଭିନବ ଶିକ୍ଷା” ଯୋଜନାରେ ମାତୃଭାଷା ଦିବସରେ ପ୍ରଦର୍ଶନୀ ଲାଗି ପ୍ରତ୍ୟେକ ବିଦ୍ୟାଳୟକୁ ୩ ହଜାର ଟଙ୍କା ଏବଂ ଗପ ଶୁଣିବା ଓ କହିବା ପାଇଁ ପ୍ରାଥମିକ ବିଦ୍ୟାଳୟକୁ ୧ ହଜାର ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଓଡ଼ିଆ ଭାଷାର ପ୍ରଚାର ପାଇଁ ପ୍ରତିଶ୍ରୁତି ଦେବେ । ବିଦ୍ୟାଳୟ, ବ୍ଲକ୍ ଓ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପାଳନ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଓସେପା ପକ୍ଷରୁ ସୂଚନା ଅନୁଯାୟୀ, ଗପ ଶୁଣିବା ଓ ଗପ କହିବା କାର୍ଯ୍ୟକ୍ରମ ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୦ଟି ଜିଲ୍ଲାରୁ ୨୭ ହଜାର ୧୧୮ ସ୍କୁଲ ମଧ୍ୟରେ ଖର୍ଚ୍ଚ ହେବ ୨୭୧.୧୮ ଲକ୍ଷ ଟଙ୍କା । ସେହିପରି ମାତୃଭାଷା ଦିବସରେ ପ୍ରଦର୍ଶନୀରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୦ଟି ଜିଲ୍ଲାରୁ ୪୩ ହଜାର ୪୩ ସ୍କୁଲ ରହିଥିବା ବେଳେ ଏଥିରେ ଖର୍ଚ୍ଚ ହେବ ୨୨୯୧.୨୯ ଲକ୍ଷ । ମୋଟାମୋଟି ଭାବେ ୧୫୬୨.୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି ।