ଓଡିଶା

odisha

ETV Bharat / state

ନବୀନଙ୍କୁ ଟପିଲେ ମୋହନ: 145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ - UTKARSH ODISHA CONCLAVE CONCLUDED

ନବୀନ ସରକାରର 3ଟି ସମ୍ମିଳନୀକୁ ପଛରେ ପକାଇଲା ମୋହନଙ୍କ ପ୍ରଥମ ନିବେଶ ସମ୍ମିଳନୀ । ନିବେଶକଙ୍କୁ ଆକୃଷ୍ଟ କଲା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି । ଓଡ଼ିଶାରେ ନିବେଶର ଅର୍ଥ ମୋଦି ଗ୍ୟାରେଣ୍ଟି କହିଲେ ମୁଖ୍ୟମନ୍ତ୍ରୀ ।

145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ
145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ (ETV Bharat Odisha)

By ETV Bharat Odisha Team

Published : Jan 29, 2025, 8:57 PM IST

ଭୁବନେଶ୍ବର: ନିବେଶ ସଂଗ୍ରହରେ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଆକଳନକୁ ପଛରେ ପକାଇଲା ‘ଉତ୍କର୍ଷ ଓଡିଶା ନିବେଶ ସମ୍ମିଳନୀ’ । ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ 5 ଲକ୍ଷ କୋଟିର ପୁଞ୍ଜି ନିବେଶର ଲକ୍ଷ୍ୟ ରଖିଥିବା ବେଳେ ପ୍ରାୟ 13 ଲକ୍ଷରେ ପହଞ୍ଚିଛି ଏହି ରାଶି । ଆଜି ଉଦଯାପିତ ହୋଇଛି 2ଦିନିଆ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡିଶା, ମେକ ଇନ ଓଡିଶା କନକ୍ଲେଭ-2025’ । ଦୁଇଦିନରେ ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ସମୂହ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୋଟ 12.89 ଲକ୍ଷ କୋଟି ମୂଲ୍ୟରେ 145ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆଜି କାର୍ଯ୍ୟକ୍ରମର ଶେଷ ସଂଧ୍ୟାରେ ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେବା ସହ ସମ୍ମିଳନୀକୁ ସମ୍ପୂର୍ଣ୍ଣ ସଫଳ ବୋଲି ଦର୍ଶାଇଛନ୍ତି ।

  • ନବୀନଙ୍କୁ ଟପିଲେ ମୋହନ

‘ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଲେଭ-2025’ରେ ଆସିଥିବା ନିବେଶ ପ୍ରସ୍ତାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରଙ୍କୁ ଟପିଛନ୍ତି ମୋହନ ମାଝୀ ସରକାର । ପୂର୍ବ 3 ଶିଳ୍ପ ମହାକୁମ୍ଭରେ ପ୍ରାୟ 16 ଲକ୍ଷ ନିବେଶ ପ୍ରସ୍ତାବ ଆସିଥିଲା । କିନ୍ତୁ ମୋହନ ସରକାରର ପ୍ରଥମ ସମ୍ମିଳନୀରେ 20ଟି କ୍ଷେତ୍ରରେ 593ଟି ପ୍ରକଳ୍ପ ପାଇଁ ମୋଟ 16.73 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା 12.88 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ନବୀନଙ୍କୁ ଟପିଲେ ମୋହନ: 145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ (ETV Bharat Odisha)
  • ଓଡିଶାରେ ପୁଞ୍ଜି ନିବେଶର ଅର୍ଥ ମୋଦି ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଲେଭ 2025 ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ ଡେଲିଗେଟ୍ସ, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଛନ୍ତି । ଓଡିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି ବୋଲି ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି -‘ମୋଦୀ ଗ୍ୟାରେଣ୍ଟି’ ଦେଇଛନ୍ତି । 2036 ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଓ 2047 ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ ଇଞ୍ଜିନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି । ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ ।’’

ନବୀନଙ୍କୁ ଟପିଲେ ମୋହନ: 145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ବୟନ, ପୋଷାକ ଶିଳ୍ପ ପାଇଁ 8 ଚୁକ୍ତି; ନିବେଶ ହେବ 7762 କୋଟି, 88 ହଜାର ନିଯୁକ୍ତି

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଦ୍ବିତୀୟ ଦିନ; ଆଜି 30 MOU, ୩ ଲକ୍ଷ କୋଟିର ନିବେଶ

'ଆଇଟି-ଇଲେକ୍ଟ୍ରୋନିକ୍ସରେ ୨୦ ହଜାର କୋଟି ନିବେଶ', ଜାଣନ୍ତୁ କେଉଁ କମ୍ପାନୀ ସ୍ବାକ୍ଷର କଲେ ଏମଓୟୁ

ମହିଳା ନିବେଶକଙ୍କ ପାଇଁ ଓଡ଼ିଶାରେ ଖୋଲିବ ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ସ୍ୱତନ୍ତ୍ର ସେଲ୍: ମୁଖ୍ୟମନ୍ତ୍ରୀ

  • ଓଡିଶାର କାୟାକଳ୍ପ ପରିବର୍ତ୍ତନ କରିବ 145ଟି ରାଜିନାମା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ମିଳନୀରେ ସମୁଦାୟ 145ଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମାଗୁଡିକ ଓଡିଶାର ଶିଳ୍ପକ୍ଷେତ୍ରରେ କାୟକଳ୍ପ ପରିବର୍ତ୍ତନ କରିବା ସହିତ ବିଶ୍ୱ ସ୍ତରୀୟ ଶିଳ୍ପସଂସ୍ଥା ମାନଙ୍କ ସହିତ ସହଭାଗୀତାର ନୂଆ ଯୁଗ ଆରମ୍ଭ କରିବ । ଏହି ଚୁକ୍ତି ଜରିଆରେ ସମୁଦାୟ 12 ଲକ୍ଷ 89 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ, ପେଟ୍ରୋକେମିକାଲସ, ଟେକ୍ସଟାଇଲସ, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି । ଏହା ଦ୍ୱାରା ରାଜ୍ୟରେ 8 ଲକ୍ଷ 94 ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି ହୋଇପାରିବ ।

ନବୀନଙ୍କୁ ଟପିଲେ ମୋହନ: 145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ (ETV Bharat Odisha)
  • ସାଢେ 3 ଲକ୍ଷରୁ ଅଧିକ ପୁଞ୍ଜିର ନିବେଶ ପ୍ରସ୍ତାବ

ଚୁକ୍ତି ସ୍ୱାକ୍ଷର ବ୍ୟତୀତ ଆହୁରି 3.84 ଲକ୍ଷ କୋଟି ଟଙ୍କାର 448 ଟି ପୁଞ୍ଜିନିବେଶ ଅଭିପ୍ରାୟ ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ । ଏହା ଦ୍ୱାରା 3.92 ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି । ଏହି କନକ୍ଲେଭରେ ସମୁଦାୟ 20ଟି ସେକ୍ଟରରେ 593ଟି ପ୍ରକଳ୍ପ ପାଇଁ 16.73 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା 12.88 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ପାର୍ଟନର ଦେଶର ପ୍ରତିନିଧି ମାନଙ୍କ ସହିତ 16 ଟି ଦେଶର ପ୍ରତିନିଧି ଏହି କନକ୍ଲେଭରେ ଯୋଗ ଦେଇଛନ୍ତି ।ଏହା ଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି ।

ସମ୍ମିଳନୀକୁ ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)
  • ଉଦଯାପନୀ କାର୍ଯ୍ୟଦିବସରେ ଥିଲା ଏହି ସବୁ କାର୍ଯ୍ୟକ୍ରମ

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ବୟନ ଶିଳ୍ପ ଓ ପୋଷାକ, ନବୀକରଣୀୟ ଶକ୍ତି, ସ୍କିଲଡ ଇନ ଓଡିଶା, ମହିଳାମାନଙ୍କ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସବୁ କ୍ଷେତ୍ରଗୁଡିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଛି । ଆଧୁନିକ ଓ ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ୱାର୍କଫୋର୍ସକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ସ୍କିଲଡ ଇନ ଓଡିଶା ସେସନରେ ଆଲୋଚନା ହୋଇଛି । ମହିଳା ଉଦ୍ୟମଶୀଳତା ଓ ଷ୍ଟାର୍ଟଅପ ଓଡିଶା ଆଦି ସମ୍ପର୍କିତ ପ୍ୟାନେଲ ଡିସ୍କସନରେ ଅଭିନବ ଓ ସମାବେଶୀ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଛି ।


ନବୀକରଣୀୟ ଶକ୍ତି, ସର୍କୁଲାର ଇକୋନମି ଓ ଗ୍ରୀନ ଟେକ୍ନୋଲୋଜି ଆଦି ଆଲୋଚନାରେ ଚିରନ୍ତନ ବିକାଶ ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି । 2036 ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ 2047 ସୁଦ୍ଧା ବିକଶିତ ଭାରତକୁ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହ କାମ କରୁଛୁ । ଆଗାମୀ ଦିନରେ ମଧ୍ୟ ଏଥିପାଇଁ ଉଦ୍ୟମ ଜାରି ରହିବ । ଏହି କନକ୍ଲେଭର ସଫଳତା ପାଇଁ ଶିଳ୍ପ ବିଭାଗ, ଇପିକଲ, ଇଡକୋ, ସି.ଆଇ.ଆଇ, ପିଡବ୍ଲୁସି ପରି ବିଭିନ୍ନ ସଂସ୍ଥା ଦ୍ୱାରା ଯୋଜନାବଦ୍ଧ ଭାବେ ପରିଶ୍ରମ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • ଆଉ ଦୁଇଦିନ ଓଡିଶାରେ ବୁଲିବେ ଅତିଥି

ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ନିବେଶ ସମ୍ମିଳନୀ ଆଜି ଶେଷ ହୋଇଥିଲେ ସୁଦ୍ଧା ଏଥିରେ ଆୟୋଜିତ ପ୍ରଦର୍ଶନୀ ଆଉ ଦୁଇଦିନ ପର୍ଯ୍ୟନ୍ତ ଜାରି ରହିବ । ଏକଜିବିସନ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details