ଓଡିଶା

odisha

ETV Bharat / state

ମା’ ବଗଳାମୁଖୀଙ୍କୁ ଲାଗି ହେଲା ୧୦୦୮ ପ୍ରକାର ଭୋଗ - ମା ବଗଳାମୁଖୀଙ୍କ ସ୍ବତନ୍ତ୍ର ପୂଜା

Unique Traditional Puja Organised At Pitambara Siddha Maha Shakti Pitha: ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ସ୍ଥିତ ସିଦ୍ଧ ମହାଶକ୍ତି ପୀଠରେ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଅନୁଷ୍ଠିତ । ମା’ଙ୍କୁ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଛି । ଅଧିକ ପଢନ୍ତୁ

ବାଲେଶ୍ବରରେ ମା ବଗଳାମୁଖୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା , ମା ଙ୍କୁ ଲାଗେ ୧୦୦୮ ପ୍ରକାର ଭୋଗ
ବାଲେଶ୍ବରରେ ମା ବଗଳାମୁଖୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା , ମା ଙ୍କୁ ଲାଗେ ୧୦୦୮ ପ୍ରକାର ଭୋଗ

By ETV Bharat Odisha Team

Published : Feb 8, 2024, 9:09 PM IST

ବାଲେଶ୍ବରରେ ମା ବଗଳାମୁଖୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା , ମା ଙ୍କୁ ଲାଗେ ୧୦୦୮ ପ୍ରକାର ଭୋଗ

ବାଲେଶ୍ବର: ୧୦ କି ୨୦ ପ୍ରକାର ନୁହେଁ ବରଂ ମା’ ବଗଳାମୁଖୀଙ୍କ ନିକଟରେ ଲାଗି ହୋଇଛି ୧୦୦୮ ପ୍ରକାର ଭୋଗ । ଯାହାକୁ ପ୍ରସ୍ତୁତ କରିଛନ୍ତି ଖୋଦ୍ ଭକ୍ତ ମାନେ । ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ସ୍ଥିତ ଶ୍ରୀ ପିତମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା’ଙ୍କୁ ଲାଗି ହୋଇଥିଲା ଏସବୁ ଭୋଗ । ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଉପଲକ୍ଷେ ୩ ଦିନ ଧରି ଯଜ୍ଞ ଆୟୋଜିତ ହୋଇଥିଲା । ଏହି କ୍ରମରେ ଯଜ୍ଞର ଅନ୍ତିମ ଦିବସରେ ମା’ଙ୍କ ପାଖେ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା । ସାଧାରଣ ଜୀବନ ଯାପନରେ ବ୍ୟବହୃତ ସମସ୍ତ ପ୍ରକାର ସାତ୍ତ୍ବିକ ଖାଦ୍ୟ ସାମଗ୍ରୀକୁ ପ୍ରସାଦ ରୂପେ ଅର୍ପଣ କରାଯାଇଥିଲା ।

ଏହି ଭୋଗ ମଧ୍ୟରେ ରହିଥିଲା ଖେଚୁଡି ଅନ୍ନ,ଅଦା ଅନ୍ନ, ହେଙ୍ଗୁ ଅନ୍ନ, ମୁଗ ଅନ୍ନ ଭଳି ୩୦ ପ୍ରକାରର ଅନ୍ନ, ୧୫ ପ୍ରକାର ଡାଲି, ଭଳି କି ଭଳି ପିଠା ପଣା, ବିଭିନ୍ନ ପ୍ରକାର ମିଷ୍ଟାନ୍ନ ଯଥା ଖଜା, କ୍ଷୀର ଗଜା, ରାବିଡି, ଲଡୁ, ରସଗୋଲା, ରସାବଳୀ, ମିଠାଦହି, ଛେନାପୋଡ ଏବଂ ନାନା ରକମର ଫଳମୂଳ ଇତ୍ୟାଦି । ଏମିତିକି ଚକୋଲେଟ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ଜନୈକ ମହିଳା ଭକ୍ତ ମା’ଙ୍କ ଜନ୍ମତ୍ସୋବ ପାଇଁ ବିଶାଳ କେକ୍ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା । ଯଜ୍ଞର ପୂର୍ଣ୍ଣାହୂତି ପରେ ପ୍ରସାଦ ଗୁଡିକ ଭକ୍ତ ମାନେ ସପରିବାରେ ସେବନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....୪ବର୍ଷ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ, ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନରୁ ବଞ୍ଚିତ ଭକ୍ତ

ସୂଚନା ଯୋଗ୍ୟ ଯେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ତିନିଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶତାଧିକ ଭକ୍ତଙ୍କ ଗହଣରେ ଗୁରୁବାର ସଂଧ୍ୟାରେ ସମାପନ ହୋଇଛି । ସୋମବାର ଦିନ ସ୍ଥାନୀୟ ସରସ୍ବତୀପୁର ଶିବ ମନ୍ଦିର ପୁଷ୍କରିଣୀରୁ ଘଟ ଉତ୍ତୋଳନ ଓ କଳସ ଶୋଭାଯାତ୍ରା ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣ ମାନଙ୍କ ଦ୍ବାରା ଯଜ୍ଞାହୁତି ପ୍ରଦାନ କରାଯିବା ସହ ସନ୍ଧ୍ୟାରେ ପୁନର୍ବାର ମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମହାଶକ୍ତିପୀଠ ପକ୍ଷରୁ ତିନିଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୂହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଶେଷ ସନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହା ପରେ ବାଣ ରୋଷଣୀ ସହ ଯଜ୍ଞମଣ୍ଡପରୁ ମା’ ମନ୍ଦିରକୁ ବିଜେ କରିବା ପରେ ମହାଆଳତୀ କରାଯାଇଥିଲା । ସାଧାରଣତଃ ଭକ୍ତଟିଏ ନିଜ ଇଷ୍ଟ ଦେବା ଦେବୀଙ୍କ ଆରାଧନା ପାଇଁ ନାନା ଭୋଗ ନୈବେଦ୍ୟ ଅର୍ପଣ କରିଥାଏ । କିନ୍ତୁ ଏପରି ଏକ ବିରଳ ଓ ବୃହତ୍ ପ୍ରସାଦ ଅର୍ପଣ ସେବା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details