ଅନୁଗୋଳ: ଦିନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅନୁଗୋଳରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଲଲହଡା ନିର୍ବାଚନ ମଣ୍ଡଳୀର ଖମାରରେ ବିଶାଳ ପଦଯାତ୍ରାରେ ସାମିଲ ହେବା ସହ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ପ୍ରଚାର ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । ଏଥର ଲଢେଇ ରିମୋର୍ଟରେ ଶାସନ ନୁହେଁ ବରଂ ଲୋକଙ୍କ ଶାସନ ଚଲାଇବା ପାଇଁ ହେବ, ଓଡ଼ିଶାରେ ଦାସତ୍ୱ କିମ୍ବା କ୍ରୀତଦାସ ପାଇଁ ନୁହେଁ ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ ହେବ । ଗୁମାସ୍ତା ମୋତେ ଯେତେ ଗାଳି ଦେଲେବି ମୁଁ ଓଡ଼ିଆ ଲୋକଙ୍କ ପାଇଁ କାମ ଜାରି ରଖିବି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।
ଖମାରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ''ଚଳିତ ଥର ନିର୍ବାଚନ ମୋଦି ସରକାରଙ୍କ କଲ୍ୟାଣକାରୀ ୧୦ ବର୍ଷର ଶାସନ ଏବଂ ନବୀନ ସରକାରଙ୍କ ଦୀର୍ଘ ୨୪ ବର୍ଷର ଅପାରଗ ଶାସନ ପାଇଁ ହେବ । ନବୀନ ସରକାରଙ୍କ ଦୀର୍ଘ ୨୪ ବର୍ଷ ଶାସନରେ ସ୍ଥାନୀୟ ସମାକୋଇ, ଦୁର୍ଗାପୁର କେନାଲର ଅବସ୍ଥା କ'ଣ ? ରେଙ୍ଗାଳି, ପାଲଲହଡା, ଖମାରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ଅଛନ୍ତି କି ? ଜଳସେଚନର ସୁବିଧା ମଧ୍ୟ ନାହିଁ । ମୋଦି ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସହ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଯୋଗାଇଛନ୍ତି । କୋରୋନା ମହାମାରୀ ସମୟରେ ଟୀକା ଉପଲବ୍ଧ କରାଇଛନ୍ତି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ରାସ୍ତା, ରେଳ, ବିମାନବନ୍ଦର ଭିତ୍ତିଭୂମି ମଜବୁତ୍ କରିଛନ୍ତି । ''
ଏହା ମଧ୍ୟ ପଢନ୍ତୁ-ବାରବାଟୀରୁ ସୋଫିଆ ହେବେ କଂଗ୍ରେସ ପ୍ରାର୍ଥୀ, କେବଳ ଆନୁଷ୍ଠାନିକ ଘୋଷଣା ବାକି ! - Sofia firdosh