ଭୁବନେଶ୍ବର: ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ଵରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟରେ ଡିଜିପି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିରେ ଯୋଗ ଦେବା ପାଇଁ ନଭେମ୍ବର 29ରୁ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି ଅମିତ ଶାହ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଏହା ହେଉଛି ଦ୍ବିତୀୟ ଗସ୍ତ ।
ଅମିତ ଶାହଙ୍କ ଗସ୍ତ ବଢାଇଲା ଏସବୁ ଚର୍ଚ୍ଚା:
ମିଳିଥିବା ସୂଚନା ଅନୁଯାୟୀ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ନେବେ ଶାହ । ସରକାରକୁ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରିନାହିଁ । ଆହୁରି 6 ମନ୍ତ୍ରୀ ପଦ ଖାଲି ପଡିଛି ମୋହନ ମାଝୀ ସରକାରରେ । ସେପଟେ ସରକାରକୁ 5 ମାସ ବିତିଯାଇଥିଲେ ସୁଦ୍ଧା ନିଗମ, ବୋର୍ଡ ଅଧ୍ୟକ୍ଷ ପଦ ଖାଲି ପଡିଛି । ଏସବୁ ଉପରେ ଆଲୋଚନା କରି ମୋହର ମାରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ନିକଟରେ ମହିଳା କମିଶନ ଅଧ୍ୟକ୍ଷା ପଦ ଫାଙ୍କା ପଡିଛି ।
ଆଗକୁ ଆସୁଛି ପୌର ନିର୍ବାଚନ:
ଏହା ସହିତ ଆଗକୁ ଅଛି ରାଜ୍ୟରେ ପଞ୍ଚାୟତ ଏବଂ ପୌରନିର୍ବାଚନ । ଏହି ନିର୍ବାଚନରେ କେମିତି ବାଜିମାତ୍ କରିବ ଦଳ ସେଥିଲାଗି ଗୁରୁ ମନ୍ତ୍ର ଦେବେ ଅମିତ ଶାହ । ରାଜ୍ୟରେ ବିଜେପି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନକୁ ଆଗକୁ ନେବେ । ଏକ କୋଟି ସଦସ୍ୟତା ଲକ୍ଷ୍ୟ ନେଇ ବିଜେପି ଜାରି ରଖିଛି ।