ରାଇରଙ୍ଗପୁର:ଲାଞ୍ଚ ନେବାବେଳେ CBI ହାତରେ ଧରାପଡିଛନ୍ତି ଜଣେ ପୋଷ୍ଟାଲ ଇନ୍ସପେକ୍ଟର । ଜନୈକ ବିପିଏମଙ୍କୁ ସାର୍ଟିଫିକେଟ କରାଇ ଦେବାକୁ କହି ୨୦ ହଜାର ଲାଞ୍ଚ ଟଙ୍କା ମାଗିଥିଲେ । ହେଲେ ଧରା ପଡିଗଲେ CBI ଫାସରେ । ସିବିଆଇ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍ ଗତକାଲି (ମଙ୍ଗଳବାର) ଦିନ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟିଙ୍କୁ ଲାଞ୍ଚ ନେବାବେଳେ ୧୦ ହଜାର ଟଙ୍କା ସହିତ ଗିରଫ କରିଛି ।
ପୋଷ୍ଟାଲ ଇନ୍ସପେକ୍ଟର ଗିରଫ୍:
ଉଦଳା ଡାକ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରା ବିଭାଗରେ ଚାକିରି କରିଥିବାବେଳେ ଏବେ ସେ ଶିକ୍ଷକ ଭାବେ ଚାକିରି ପାଇଛନ୍ତି । ଉକ୍ତ ଚାକିରି କରିବା ପାଇଁ ପୋଷ୍ଟାଲ ବିଭାଗ ପକ୍ଷରୁ ଇସ୍ତଫା ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା । ଯେଉଁ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ମଳୟ ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ । ହେଲେ ସାର୍ଟିଫିକେଟ ଦେବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକି ଗତକାଲି ସନ୍ଧ୍ୟାରେ ଉଦଳାରେ ରାଜେନ୍ଦ୍ରଙ୍କ ଭଡା ବାସଭବନ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଥିଲା CBI ।
ଏହା ମଧ୍ୟ ପଢନ୍ତୁ .....ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ, ବିଲ କରିବାକୁ ନେଉଥିଲେ ୧୧ ହଜାର ଲାଞ୍ଚ